ସିପିଆଇର ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ଭୁବନେଶ୍ୱର, ୬/୪: ଆସନ୍ତା ସପ୍ତଦଶ ଲୋକସଭା ଓ ଷୋଡ଼ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦର ନିର୍ବାଚନ ଇସ୍ତାହାର ପ୍ରକାଶିତ ଓ ଉନ୍ମୋଚିତ ହୋଇଛି । ଆଜି ପୂର୍ବାହ୍ନରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ, କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଓ ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ଡ଼ଃ ସୌରୀବଂଧୁ କର ଏହି ନିର୍ବାଚନ ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି ।
ଏହି ନିର୍ବାଚନ ଇସ୍ତାହାରରେ ସିପିଆଇର ପ୍ରାର୍ଥୀମାନେ ବିଜୟଲାଭକରି ଲୋକସଭା ଓ ବିଧାନସଭାକୁ ଗଲେ କୃଷିଋଣ ଛାଡ଼ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କା ଧାର୍ଯ୍ୟ; ୬୦ ବର୍ଷରୁ ଉଦ୍ଧ୍ୱର୍ ଚାଷୀ ଓ ମୂଲିଆଙ୍କୁ ମାସିକ ୬ ହଜାର ଟଙ୍କା ଓ ଶ୍ରମିକଙ୍କୁ ୯ ହଜାର ଟଙ୍କା ପେନ୍ସନ୍; ମୂଲିଆ ମାନଙ୍କୁ ୩୦୦ ଦିନର କାମ; କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପକୁ ପ୍ରେତ୍ସାହନ ଦେଇ ବ୍ୟାପକ କର୍ମ ନିଯୁକ୍ତି ସହ ଓଡ଼ିଶାରେ ୬ ମାସ ମଧ୍ୟରେ ୩ଲକ୍ଷ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି; ବନ୍ଦ ହୋଇଯାଇଥିବା କେବିକେ ଯୋଜନାର ପୁନଃ ପ୍ରଚଳନ; ପାର୍ଲାମେଣ୍ଟ-ବିଧାନସଭା ଓ ସରକାରୀ -ବେସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୩୩ଭାଗ ସଂରକ୍ଷଣ; ବିଧବା ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି; ଶିକ୍ଷା କ୍ଷେତ୍ରରେ ମୋଟ ଜିଡ଼ିପିର ୧୦ଭାଗ ଓ ସ୍ୱାସ୍ଥ୍ୟପାଇଁ ୬ଭାଗ ବ୍ୟୟ ବରାଦ; ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ; ଅଙ୍ଗନୱାଡ଼ି, ଆଶା, ଶିକ୍ଷାକର୍ମୀ, ଶିକ୍ଷାସହାୟକ, ଗାଁସାଥୀ, କୃଷକସାଥୀ, ମିଶନଶକ୍ତି, ପାଚିକା ଓ ଯୋଶଦା କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ପାଇଁ ସଂଗ୍ରାମ ଚଳାଇବା ସହିତ ସିପିଆଇ ଓ ବାମପନ୍ଥୀଙ୍କ ସମର୍ଥନରେ କେନ୍ଦ୍ର ଓ ରାଜ୍ୟରେ ସରକାର ହେଲେ ବିକାଶର ଏହି ବିକଳ୍ପ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହେବ ବୋଲି ଘୋଷଣା କରାଯାଇଛି ।
ଏହା ବ୍ୟତୀତ ଓଡ଼ିଶାରେ ଆସିକା ଲୋକସଭା ଏବଂ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ସିପିଆଇ ପ୍ରାର୍ଥୀମାନଙ୍କୁ ଦାଆ-ଧାନ କେଣ୍ଡା ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବା ସହ ଅନ୍ୟତ୍ର କଂଗ୍ରେସ, ସିପିଏମ୍ ଓ ଜେଏମ୍ଏମ୍ ପ୍ରାର୍ଥୀମାନଙ୍କୁ ଭୋଟ ଦେବାପାଇଁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *