ନିଜ ଭାଷାକୁ ଗୁରୁତ୍ୱ ଦେବାର ସମୟ ଆସିଛି

ବିଲୁପ୍ତ ପ୍ରାୟ ଭାଷାକୁ କେବଳ ପାଠାଗାର ବିଜ୍ଞାନ ସଂରକ୍ଷଣ କରିପାରିବ: ସୋଆ କୁଳପତି ପ୍ରଫେସର ମହାପାତ୍ର

ଭୁବନେଶ୍ୱର, ୦୮/୦୮: ବର୍ତମାନ ସାରା ବିଶ୍ୱରେ ଅନେକ ଭାଷା ଓ ଲିପି ଲୋପ ପାଇବାକୁ ବସିଛି । ୟୁନେସ୍କୋର ତଥ୍ୟ ଅନୁଯାୟୀ ପୃଥିବୀରେ ପ୍ରତ୍ୟେକ ବର୍ଷ ୫୦୦ରୁ ଊର୍ଦ୍ଧ୍ୱ ଭାଷା ବିଲୁପ୍ତ ହେବାରେ ଲାଗିଛି । ସେହିପରି ୧୯୨୮ ମସିହାରେ କେବଳ ଭାରତରେ ୧୨୫୦୦ ଭାଷା ଏବଂ ୨୫୦ଟି ଲିପି ରହିଥିବା ବେଳେ ବର୍ତମାନ ମାତ୍ର ୨୫୦ଟି କଥିତ ଭାଷା ଏବଂ ୫୦ ରୁ ୧୦୦ଟି ଲିପି ଉପଲବ୍ଧ ଅଛି । ଆମେ ଧୀରେ ଧୀରେ ଆମ ଭାଷାକୁ ଭୁଲିବାରେ ଲାଗିଛୁ । ତେଣୁ ନିଜ ଭାଷାକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କୁଳପତି ପ୍ରପେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଓଡ଼ିଶା ଲାଇବ୍ରେରିଆନ୍ ଏକାଡେମୀ ପକ୍ଷରୁ ରବିବାର ଆଇଟିଇଆର୍ ପରିସରରେ ଆୟୋଜିତ ଜାତୀୟ ଲାଇବ୍ରେରିଆନ୍ ଦିବସ ଏବଂ ଓଏଲ୍‌ଏର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ତଥ୍ୟ ରଖିଛନ୍ତି ସୋଆ କୁଳପତି ।

ଭାଷାକୁ ବଂଚାଇ ରଖିବା ପାଇଁ ପାଠାଗାର ଏବଂ ପାଠାଗାର ବିଜ୍ଞାନର ଅନେକ ଗୁୁରୁତ୍ୱ ରହିଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଓଡ଼ିଆ ଭାଷା ସମ୍ପର୍କରେ ତଥ୍ୟ ରଖି ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରାୟ ୨୭୦ଟି ଜନଜାତି ଭାଷା ରହିଛି । ତେଣୁ ଏସବୁ ଭାଷାକୁ ଉଦ୍‌ଜୀବିତ କରି ରଖିବା ପାଇଁ ଏହା ଉପରେ ଗବେଷଣା ଆବଶ୍ୟକ ।
ସେହିପରି ପାଠାଗାରର ମହତ୍ୱ ସମ୍ପର୍କରେ ଗୁରୁତ୍ୱ ଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବର୍ତମାନର ଯୁବପିଢ଼ି କେବଳ ପରୀକ୍ଷାରେ ଉଚ୍ଚ ମାର୍କ, ଚାକିରୀ ଏବଂ ମୋଟା ଅଙ୍କର ଦରମା ପଛରେ ଅଧିକ ମନୋନିବେଶ କରୁଛନ୍ତି । ତେବେ ଜ୍ଞାନ ଆହରଣ କରିବା ପାଇଁ ଅଧିକ ପୁସ୍ତକ ପଢ଼ିବାର ଆବଶ୍ୟକତା ରହିଛି ଯଦ୍ୱାରା ସେମାନଙ୍କର ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ହୋଇପାରିବ । ଏଥି ନିମନ୍ତେ ପାଠାଗାରର ଗୁରୁତ୍ୱ ରହିଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ପାଠାଗାରର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନିଜ ଅନୁଭୂତି ବଖାଣି ବହି ପଢ଼ିବା ଏକ ନିଆରା ଅନୁଭୂତି ବୋଲି କହିବା ସହ ପ୍ରତ୍ୟେକ ଦିନ କିଛି କିଛି ପଢ଼ିଲେ ହିଁ ମାନସିକ ସ୍ତରରେ ବିଶାଳତା ସୃଷ୍ଟି ହୁଏ ବୋଲି ଡକ୍ଟର ପତି କହିଥିଲେ । କୋଭିଡ ପରବର୍ତୀ ସମୟରେ ପାଠାଗାରର ପରିଭାଷା ଭର୍ଚୁଆଲ୍ ଏବଂ ଡିଜିଟାଲ୍ ହୋଇଯାଇଛି । ଏହା ବର୍ତମାନ ଯୁବପିଢ଼ିଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇପାରିବ ବୋଲି ଡକ୍ଟର ପତି କହିଥିଲେ ।

ଏହି ଅବସରରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାଠାଗାରକୁ ଏକ ମନ୍ଦିର ସଦୃଶ ତୂଳନା କରି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାଠାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଆଇଟିଇଆର୍‌ର ଚିଫ୍ ଲାଇବ୍ରେରିଆନ୍ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ପ୍ରଜ୍ଞା ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଶା ଲାଇବ୍ରେରି ଏକାଡେମୀର ସଭାପତି ଡକ୍ଟର ବାନାମ୍ବର ସାହୁ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଓଏଲ୍‌ଏର ସଚିବ ଡକ୍ଟର ବାସୁଦେବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପରିପ୍ରେକ୍ଷୀରେ “ୟୁଜର ଏନ୍‌ଗେଜମେଂଟ ଇନ୍ ନ୍ୟୁ ନର୍ମାଲ୍‌” ଶୀର୍ଷକ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ସେମିନାରରେ ଅନେକ ବ୍ୟକ୍ତି ବିଶେଷ ନିଜର ତଥ୍ୟ ଉପସ୍ଥାପନ କରିଥିଲେ ।

ସେହିପରି କାର୍ଯ୍ୟକ୍ରମର ଉଦ୍‌ଯାପନୀ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ.ସାହୁ ଯୋଗ ଦେଇଥିବା ବେଳେ ଓଏଲ୍‌ଏର ଉପସଭାପତି ଡକ୍ଟର କମଳ ଲୋଚନ ଜେନା ଏବଂ ଡକ୍ଟର ପ୍ରଜ୍ଞା ଦାସ ଉପସ୍ଥିତ ଥିଲେ ।

ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ପାଠାଗାର ସହିତ ସଂପୃକ୍ତ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *