ପୁଣି ନୂଆ ୧୪ ପଜିଟିଭ୍, କେବଳ ଗଞ୍ଜାମରୁ ୧୨

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ସକାଳ ସକାଳୁ ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ କେବଳ ରହିଛନ୍ତି ୧୨ଜଣ ।

ସେହିପରି ସୁନ୍ଦରଗଡ଼ ରାଉରକେଲାରୁ ଜଣେ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଛି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଥିବା ବେଳେ କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହୋଇଛି । ନୂତନ ଭାବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଏବଂ ସମସ୍ତେ କ୍ୱାରେଣ୍ଟାଇନରେ ଥିବା ସମୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ ଗତକାଲି ରାଜ୍ୟରେ ମୋଟ ୮୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଯାହାକି ରାଜ୍ୟର ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ପଜିଟିଭ୍ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *