ବିଜେପି ଛାଡିଲେ ବିଜୟଲକ୍ଷ୍ମୀ, ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର,୬/୪/୨୦୧୯: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ମେୟର ତଥା ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହ ୫୦୦ରୁ ଊଦ୍ଧ୍ୱର୍ ମହିଳା ଓ ଯୁବ ମୋର୍ଚ୍ଚାର ସଦସ୍ୟ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର ନେତା ଓ କର୍ମୀମାନଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଯୋଗଦେବା ଅବସରରେ ଶ୍ରୀମତୀ ମହାପାତ୍ର କହିଥିଲେ ଯେ ବିଜେପିର ଦୁର୍ଦ୍ଦିନ ସମୟରେ ଆମେମାନେ କାମ କରିଥିଲୁ, କିନ୍ତୁ ସୁଦିନ ସମୟରେ ଆମ ଭଳିଆ କର୍ମୀମାନଙ୍କୁ ପଚରାଗଲା ନାହିଁ । ସୁଦିନ ସମୟରେ ଦଳରୁ ଯେଉଁମାନଙ୍କୁ ନିଲମ୍ବିତ କରାଯାଇଥିଲା, ସେମାନଙ୍କୁ ଫେରାଇ ଆଣି ଗୁରୁତ୍ୱ ଦିଆଗଲା । ମୋତେ ଭୁବନେଶ୍ୱରର ତଥାକଥିତ ନେତାମାନେ ଯେଭଳି ଦୁର୍ବ୍ୟବହାର ସହ ମାନସିକ ନିର୍ଯାତନା ଦେଲେ, ତାହା କଦାପି ଭୁବନେଶ୍ୱର ବିଜେପିକୁ ଶୋଭା ପାଇବ ନାହିଁ । ମୋ ଭଳି ଆଗଧାଡ଼ିର ନେତ୍ରୀଙ୍କୁ କାମ କରିବାର ସୁଯୋଗ ଦେଲେ ନାହିଁ ।
ମହିଳାମାନଙ୍କ ଦ୍ୱାରା କାର୍ଯ୍ୟ କରାଇ ସୁବିଧା ନେବାକୁ ସର୍ବଦା ଚେଷ୍ଟା କଲେ । କିନ୍ତୁ ବର୍ତ୍ତମାନ ଆମେମାନେ ବିଜେପିର ନେତାମାନଙ୍କୁ ଦେଖାଇଦେବୁ ଯେ ମହିଳାମାନେ କ’ଣ କରିପାରିବେ? ଯେଉଁଭଳି ଭାବରେ ଆମମାନଙ୍କୁ ନିର୍ଯାତନା ଦେଇଛନ୍ତି, ବିଜେପି ଭୁବନେଶ୍ୱରରେ ଆଗାମୀ ଦିନରେ ଲୋପ ପାଇଯିବ ବୋଲି ଶ୍ରୀମତୀ ମହାପାତ୍ର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *