କାଲି ହଂସପାଳ ଫ୍ଲାଇ ଓଭରବ୍ରିଜ୍ ଭୂମିପୂଜନ କରିବେ ଅପରାଜିତା

ଭୁବନେଶ୍ୱର/ବାଲିଅନ୍ତା ୭ା୬: କଟକ-ଭୁବନେଶ୍ୱର ଜାତୀୟ ରାଜପଥର ହଂସପାଳ ଛକରେ ଫ୍ଲାଇ ଓଭରବିଜ୍ ନଥିବାରୁ ଟ୍ରାଫିକ୍ ସମସ୍ୟାରେ ଦୁର୍ଘଟଣାରେ ବହୁ ଧନଜୀବନ ହାନିହୋଇ ହଂସପାଳ ଛକ ମରଣଯନ୍ତା ପାଲଟି ଅଞ୍ଚଳବାସୀଙ୍କ ପାଇଁ ସବୁବେଳେ ଦୁର୍ଘଟଣା ଜନିତ ଆସନ୍ନ ମୃତ୍ୟୁକୁ ଆମନ୍ତ୍ରଣ କରୁଥିଲା । ଏ ସମ୍ପର୍କରେ ସ୍ଥାନୀୟ ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରାପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଞ୍ଚଳର ଜନସାଧାରଣ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ପୂର୍ବତନ ବିଧାୟକ ଭାଗୀରଥି ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ଡଃ ଅରବିନ୍ଦ ଢାଲି, ଅଞ୍ଚଳର ଭୂମିପୁତ୍ର ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ବିଧାନସଭାରେ ଓ ପତ୍ର ମାଧ୍ୟମରେ କ୍ରମାଗତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ।

ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗତ ନିର୍ବାଚନ ସମୟରେ ଏଠାରେ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଓ ନିଜ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କର୍ମକର୍ତ୍ତାଙ୍କୁ ଆଣି କ୍ଷେତ୍ର ପରିଦର୍ଶନ କରାଇ ଏ ବାବଦରେ ଅର୍ଥର ବ୍ୟୟ ବରାଦ କରାଇ ଆସନ୍ତାକାଲି ୮ ତାରିଖ ସକାଳ ୮ ଘଟିକା ସମୟରେ ନିରାଡ଼ମ୍ବରଭାବେ ସାମାଜିକ ଦୂରତା ଅବଲମ୍ବନ କରି ଭୂମିଭୂଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଓ ସମସ୍ତ ଅଞ୍ଚଳବାସୀ ସାଂସଦଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

ଆଉ ମଧ୍ୟ ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଦୁଇ ପାଶ୍ୱର୍ରେ ଥିବା ଜଳ ନିଷ୍କାସନ ପାଇଁ ଥିବା ଆବହମାନ କାଳର ନୟନଜୋରିକୁ ପୋତି ଜଳନିଷ୍କାସନ ପାଇଁ ବ୍ୟବସ୍ଥା ନକରି ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଅଣଯୋଜନାକୃତ ରାସ୍ତା ସମ୍ପ୍ରସାରଣ ଯୋଗୁଁ କୁଆଖାଇ- ପୁରୀ ମୁଖ୍ୟ କେନାଲ, ଜାତୀୟ ରାଜପଥ ୧୬, ପ୍ରାଚୀ ନଦୀ ଆଭ୍ୟନ୍ତରରେ ରୁଦ୍ରପୁର, ନହରକଣ୍ଟା, ହଂସପାଳ, ବଙ୍ଗୁଆରୀ, ହରିଦାସପୁର, ସୁନ୍ଦରାପାଟଣା, ନୂଆପାଟଣା, କୁଣ୍ଡିତରାପାଟଣା, ପାହାଳ ଅଞ୍ଚଳର ବର୍ଷା ଓ ବନ୍ୟାଜଳ ନିଷ୍କାସନ ହୋଇନପାରି ଜୁନ୍ ମାସରୁ ପୁଣି ଅପ୍ରେଲ୍ ମାସ ପର୍ଯ୍ୟନ୍ତ ଏହି ଗ୍ରାମଗୁଡ଼ିକ ଜଳବନ୍ଦୀ ହୋଇ ଲୋକେ ଯମଯନ୍ତ୍ରଣା ଭୋଗ କରୁଛନ୍ତି । ଜଳ ନିଷ୍କାସନ ହୋଇ ନପାରି ଏ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକା ଚାଷ ମଧ୍ୟ ବିଲୋପ ହୋଇଛି ।

ଭୁବନେଶ୍ୱର ମହାନଗର ନିଗମ ତରଫରୁ ଜାତୀୟ ରାଜପଥ ପାଶ୍ୱର୍ରେ ଡ୍ରେନ୍ ନିର୍ମାଣ ଅନୁମୋଦନ ପ୍ରସ୍ତାବ ଗତ ୨୦୧୯ ମସିହାରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ପଡ଼ିଥିଲେ ମଧ୍ୟ ସେମାନେ ଡ୍ରେନ୍ ପ୍ରସ୍ତାବ ଅନୁମୋଦନ କରୁନାହାନ୍ତି । ଯାହାପାଇଁ ଅଞ୍ଚଳବାସୀ ବର୍ଷସାରା ଦୂଷିତ ଜଳବନ୍ଦୀ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଜଳବନ୍ଦୀରୁ ମୁକ୍ତି ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଭାନୁମତୀ ବେହେରା ମାନ୍ୟବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *