ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏନେଇ ବୁଧବାର ଦିନ ବିଧାନସଭା ସଚିବାଳୟ ପକ୍ଷରୁ ସମନ ଜାରି କରାଯାଇଛି ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୬ତମ ବିଧାନସଭାର ପଞ୍ଚମ ଅଧିବେଶନ ୨୦ ତାରିଖ ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହେବ । ବିଧାନସଭାର ଏହି ଶୀତ କାଳୀନ ଅଧିବେଶନ ମୋଟ ୪୦ଦିନ ଚାଲିବ । ଏହା ମଧ୍ୟରେ ୩୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଶନିବାର ଓ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ । କେବଳ ୨ଦିନ ଯଥା, ନଭେମ୍ବର ୩୦ ରାସପୂର୍ଣ୍ଣିମା ଓ ଡିସେମ୍ବର ୨୫ ବଡଦିନରେ ବିଧାନସଭା ଛୁଟି ରହିବ । ଅତିରିକ୍ତ ବଜେଟ୍ ନଭେମ୍ବର ୨୦ତାରିଖରେ ଆଗତ ହେବ ଓ ନଭେମ୍ବର ୨୯ ରବିବାର ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଯେ ନିୟମ ଅନୁଯାୟୀ ପ୍ରତି ବର୍ଷ ୬୦ ଦିନ ବିଧାନସଭାର ଅଧିବେଶନ ବସିଥାଏ । ମାତ୍ର କରୋନା ସଂକ୍ରମଣ ଯୋଗୁ ଚଳିତ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ୬୦ଦିନ ବସି ପାରିନଥିଲା । ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବସିଥିବା ୭ ଦିନିଆ ବିଧାନସଭାକୁ ମିଶାଇ ଚଳିତ ବର୍ଷ ମୋଟ ୨୦ ଦିନ ବିଧାନସଭା ଚାଲିଥିଲା । ତେଣୁ ବିଧାନସଭା ପକ୍ଷରୁ ବାକି ଥିବା ୪୦ଦିନର ଅଧିବେଶନ ଡକାଯାଇଛି ।

Spread the love

Leave a Reply

Your email address will not be published. Required fields are marked *