ସଂସଦରେ କୃଷି ବିଲ୍ ପାରିତ: କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ ପାରିତ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ଭାରତୀୟ କୃଷି ଇତିହାସରେ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି, “ଭାରତୀୟ କୃଷି ଇତିହାସରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ! ସଂସଦରେ ଏହି ପ୍ରମୁଖ ବିଲ୍ ପାରିତ ହେବା ନେଇ ଆମର ପରିଶ୍ରମୀ ଚାଷୀଙ୍କୁ ଅଭିନନ୍ଦନ । ଏହାଦ୍ୱାରା କୃଷି କ୍ଷେତ୍ରର ସାମଗ୍ରୀକ ବିକାଶ ହେବା ସହିତ କୋଟି କୋଟି କୃଷକଙ୍କ ସଶକ୍ତିକରଣ ସମ୍ଭବ ହେବ ।

ଦଶନ୍ଧି ଧରି ଭାରତୀୟ କୃଷକ ବିଭିନ୍ନ ପ୍ରତିବନ୍ଧକର ସାମନା କରିବା ସହ ମଧ୍ୟସ୍ଥିମାନଙ୍କ ଅସୁବିଧାର ଶିକାର ହେଉଥିଲେ । ସଂସଦରେ ପାରିତ ହୋଇଥିବା ବିଲ୍ କୃଷକମାନଙ୍କୁ ଏଭଳି ଅସୁବିଧାରୁ ମୁକ୍ତ କରିବ । ଏହି ବିଲ୍ କୃଷକଙ୍କ ଆୟକୁ ଦ୍ଵିଗୁଣିତ କରିବାରେ ସହାୟକ ହେବ ।

ଆମର କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି ଯାହା ପରିଶ୍ରମୀ କୃଷକମାନଙ୍କୁ ସାହାଯ୍ୟ କରିବ । ବର୍ତ୍ତମାନ, ବିଲ୍ ପାରିତ ହେବା ସହିତ ଆମର କୃଷକମାନେ ଭବିଷ୍ୟତରେ ଉତ୍ତମ ଜ୍ଞାନକୌଶଳର ବ୍ୟବହାର ପାଇଁ ସୁବିଧା ପାଇବେ ଯାହା ଉତ୍ପାଦନକୁ ବୃଦ୍ଧି କରିବା ସହିତ ଉନ୍ନତ ଫଳାଫଳ ପ୍ରଦାନ କରିବ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ମୁଁ ଏହା ପୂର୍ବରୁ କହିଥିଲି ଏବଂ ପୁଣି ଥରେ କହୁଛି: ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରଥା ରହିବ । ସରକାରଙ୍କ କ୍ରୟ ପ୍ରକ୍ରିୟା ଜାରି ରହିବ । ଆମେ ଆମର କୃଷକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଏଠାରେ ଅଛୁ । ସେମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କ ଆଗାମୀ ପିଢି ପାଇଁ ଏକ ଉତ୍ତମ ଜୀବନ ସୁନିଶ୍ଚିତ କରିବା ଦିଗରେ ଆମେ ଯଥାସମ୍ଭବ ଚେଷ୍ଟା କରିବୁ” ।

Spread the love

Leave a Reply

Your email address will not be published. Required fields are marked *