ରାଜ୍ୟ ଉପରେ ନ୍ୟସ୍ତ ହେଲା ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟସରକାରଙ୍କ ଉପରେ ଉଚ୍ଚନ୍ୟାୟାଳୟ ରଥଯାତ୍ରାର ନିଷ୍ପତ୍ତି ନ୍ୟସ୍ତ କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚନ୍ୟାୟାଳୟ ଏହି ନିଷ୍ପତ୍ତି ଦେଇଛନ୍ତି । ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରଥଯାତ୍ରା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ତେବେ ଉଚ୍ଚନ୍ୟାୟାଳୟ ପକ୍ଷରୁ ଏହାର ବିଚାର କରାଯାଇ ସଠିକ ସମୟରେ ଉଚିତ ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ମାମଲାର ବିଚାର ସମୟରେ ରାଜ୍ୟସରକାରଙ୍କ ପକ୍ଷରୁ କେନ୍ଦ୍ରସରକାରଙ୍କର କୋଭିଡ ଗାଇଡ ଲାଇନକୁ ପାଳନ କରାଯାଇ ସ୍ନାନଯାତ୍ରା ସମ୍ପନ୍ନ କରାଯିବା ସହ ରଥକାର୍ଯ୍ୟ କରାଯାଉଥିବା ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ସୂଚନା ପ୍ରଦାନ କରିଥିଲେ ।

ରାଜ୍ୟରେ ବର୍ତ୍ତମାନ ୩୧୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପୁରୀରେ ୧୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟସରକାର ରଥଯାତ୍ରା ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରଥଯାତ୍ରା ହେବକି ନାହିଁ ଏବେ ରାଜ୍ୟସରକାର ଏହାର ଭାର ଗ୍ରହଣ କରିଛନ୍ତି । ରଥଯାତ୍ରା ପାଇଁ ଆଉ ଦୁଇ ସପ୍ତାହ ବାକି ଥିବା ବେଳେ ରଥକାର୍ଯ୍ୟ ମଧ୍ୟ ଚାଲୁ ରହିଛି ।

ସେହିପରି ମନ୍ଦିର ମଧ୍ୟରେ ନୀତିକାନ୍ତି ମଧ୍ୟ ସଠିକ ଉପାୟରେ ଚାଲୁ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଣୁ ରଥଯାତ୍ରା ନେଇ ରାଜ୍ୟସରକାର କି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତାହା ଆସନ୍ତା ଦିନରେ ସ୍ପଷ୍ଟ ହୋଇଯିବ ।

Spread the love

Leave a Reply

Your email address will not be published. Required fields are marked *