କରୋନା ଯୋଦ୍ଧାଙ୍କ ସ୍ଥିତି ଗମ୍ଭୀର!

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଥିଲେ ମଧ୍ୟ ଏହା ନିୟନ୍ତ୍ରଣ ମଧ୍ୟରେ ରହିଥିବା ସରକାର ଡିଣ୍ଡିମ ପିଟିଚାଲିଛନ୍ତି । ମାତ୍ର ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖୁଥିବା କରୋନା ଯୋଦ୍ଧାଙ୍କ ଅବସ୍ଥା ଏବେ ଖରାପ ହେବାକୁ ଯାଉଛି । ଏହି କରୋନା ଯୋଦ୍ଧାଙ୍କ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ବିଶେଷ କରି ରାଜ୍ୟରେ ଅଧିକରୁ ଅଧିକ ପୋଲିସ କର୍ମଚାରୀ, ଏନଡିଆରଏଫ କର୍ମଚାରୀଙ୍କ ସହ ଡାକ୍ତର ଓ ଡାକ୍ତରଖାନାର କର୍ମଚାରୀ ସଂକ୍ରମିତ ହେଉଥିବା ନଜରକୁ ଆସୁଛି ।

ଗତ କିଛିଦିନ ତଳେ ଗଞ୍ଜାମରେ ପୁଲିସ୍ କର୍ମୀ ସଂକ୍ରମଣର ଶିକାର ହୋଇଥିଲାବେଳେ ଏବେ ପୁଣି ଦୁଇ ପୁଲିସ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ପୂର୍ବରୁ କଟକ, ଭୁବନେଶ୍ୱର, ନୟାଗଡ଼, ବାଲେଶ୍ୱର ଓ ବ୍ରହ୍ମପୁରରେ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ କଳାହାଣ୍ଡିରୁ ୨ଜଣ ମହିଳା ଡାକ୍ତର ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି ।

ଗଞ୍ଜାମ ଏସପି ବ୍ରିଜେଶ ରାଏ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି, ଛତ୍ରପୁର ଏସଡିପିଓ ଓ ଛତ୍ରପୁର ଥାନାଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଅଧିକାରୀ ସୁରଟ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ ହୋମ୍ ନେବା ସହ ସେମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ ବ୍ୟବସ୍ଥାରେ ନିୟୋଜିତ ଥିଲେ । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିଲେ ମଧ୍ୟ କିଛି ଦିନ ପୂର୍ବେ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ରିପୋର୍ଟ ଆସିବା ପରେ ଏହି ଦୁଇ ଅଧିକାରୀଙ୍କ ପଜିଟିଭ୍ ଆସିଥିବା ଜଣାପଡ଼ଛି । ଉଭୟ ଅଧିକାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ଜରଡ଼ା ଥାନାର ପ୍ରାୟ ୧୫ ଜଣ ପୁଲିସ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରାଯିବ ସୂଚନା ଦିଆଯାଇଛି । ସେମାନଙ୍କର ରିପୋର୍ଟ ଆସିବା ପରେ ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ କାର୍ଯ୍ୟରତ କିଛି ପୁଲିସ୍ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରାଯିବ । ବ୍ରହ୍ମପୁର ଥାନାର ୯ଜଣ ପୁଲିସ୍ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି । ଏହି ୯ଜଣ ଜଣେ କରୋନା ଆକ୍ରାନ୍ତ ଲୁଟେରାଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସେ କହିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଜିଲ୍ଲାରେ ୧୧ଜଣ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଆଜି କଳାହାଣ୍ଡି ଜିଲ୍ଲାର ନର୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଜଣ ତେଲେଙ୍ଗନା ଫେରନ୍ତା ପ୍ରବାସୀଙ୍କ ସଂସ୍ପର୍ଶରେ ଆସିଥିଲେ । ବର୍ତ୍ତମାନ ଜିଲ୍ଲାପାଳ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ।

ସେହିପରି ଏନଡିଆରଏଫ୍, ଫାୟାର ସର୍ଭିସ୍ ଓ ଓଡ୍ରାଫର ୧୩ଜଣ କର୍ମଚାରୀ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ଆମ୍ପାନ୍ ବାତ୍ୟା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କୋଲକାତା ଯାଇଥିଲେ । କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥାମାନଙ୍କର ୧୪୯ଜଣ କର୍ମଚାରୀ ଆଜିସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।

ଏମ୍ସର ଡାକ୍ତର କରୋନା ସଂକ୍ରମିତ ହେବା ସହ ଘରୋଇ ହସ୍ପିଟାଲର କର୍ମଚାରୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏଣୁ ରାଜ୍ୟରେ କରୋନା ଯୋଦ୍ଧାଙ୍କ ସ୍ଥିତି ଗମ୍ଭୀର ହେଉଥିବାରୁ ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଯାଇଛି ।

Spread the love

Leave a Reply

Your email address will not be published. Required fields are marked *