ପ୍ରଦୀପ ମହାରଥୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲ। । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ସମ୍ପର୍କରେ ପ୍ରଚାରିତ ହେବା ମାତ୍ରେ ଶୋକର ଛାୟା ଖେଳି ଯାଇଥିଲା । ଶେଷ ଦର୍ଶନ ଲାଗି ତାଙ୍କର ବହୁ ସମର୍ଥକ ହସ୍ପିଟାଲ ଓ ବାସଭବନକୁ ଆସିଥିଲେ ।

ପ୍ରଦୀପ ମହାରଥୀ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତି କରାଯାଇଥିଲା । ସେଠାରେ ସେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଥିଲେ । ଏହାପରେ ପୁଣି ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ପୁଣି ଥରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରା ଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା ।

ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାରଥୀଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

୧୯୫୫ ମସିହା ଜୁଲାଇ ୪ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥବା ପ୍ରଦୀପ ମହାରଥୀ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦକୁ ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ସାତ ଥର ବିଧାୟକ ହୋଇଥିବା ବେଳେ ରାଜ୍ୟରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।

୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ମୋଟ ୭ ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ୱ କରିଥିଲେ ।

୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ଏଥି ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀ ୨୦୧୧ ମସିହା ମେ’ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମେ’ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସଂପଦ ମନ୍ତ୍ରୀ, ୨୦୧୭ ମସିହା ମେ’ ମାସ ୭ ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସଂପଦ ମନ୍ତ୍ରୀ ଥିଲେ ।

Spread the love

Leave a Reply

Your email address will not be published. Required fields are marked *