କାନନ କ୍ଷେତ୍ରରେ ଗଡିବନି ରଥ

ଭୁବନେଶ୍ୱର ୨୭/୫ – କରୋନା ମହାମାରୀ କମିବାର ନାଁ ଧରୁନାହିଁ । ଦିନକୁ ଦିନ ଓଡିଶାରେ ବଢ଼ି ବଢ଼ି ଚାଲିଛି । ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି କାନନକ୍ଷେତ୍ରରେ ୪୮ ବର୍ଷ ଧରି ହେଉଥିବା ରଥଯାତ୍ରାକୁ ନନ୍ଦନକାନନ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଏବର୍ଷ ସ୍ଥଗିତ କରାଯାଇଛି । ଏ ନେଇ ଆଜି ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଭାପତି ସୁବାସ ପାତ୍ର ଜଣାଇଛନ୍ତି ।

କୋଟି ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତବତ୍ସଳ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭକ୍ତଙ୍କୁ ଦେଖା କରିବା ପାଇଁ ରଥଯାତ୍ରାରେ ପ୍ରଭୁ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି । ଭକ୍ତର ସେ ବନ୍ଧୁ । ଭକ୍ତମାନଙ୍କ ମଙ୍ଗଳ ପାଇଁ ସେ ଚଉବାହା ମେଲାଇ ଦିଅନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନା ଯେଉଁଭଳି ଭାବରେ ମାଡିଚାଲିଛି ତାକୁ ରୋକିବା କଷ୍ଟକର ହୋଇପଡିଛି । କରୋନା ଛୁଆଁରୋଗ ହୋଇଥିବାରୁ ରାଜ୍ୟସାରା ତାଲାବନ୍ଦ ହୋଇ ରହିଛି । ଏହାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ନିହାତି ଆବଶ୍ୟକ ହେଉଛି । ଏଭଳି ପରିସ୍ଥିତିରେ ଯଦି ରଥଯାତ୍ରା ହୁଏ ତାହେଲେ ହଜାର ହଜାର ଲୋକଙ୍କୁ ସମ୍ଭାଳିବା କଷ୍ଟକର ହେବ । ତେଣୁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି ଏବର୍ଷ ରଥଯାତ୍ରାକୁ ବନ୍ଦ କରିବା ପାଇଁ ।

ନିକଟରେ ପାଞ୍ଚପଞ୍ଚାୟତ ଭିତରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶହଶହ ସଂଖ୍ୟାରେ ପ୍ରବାସୀମାନେ ମଧ୍ୟ ରାଜ୍ୟକୁ ଆସୁଛନ୍ତି । ସରକାରୀ ନିୟମ ଅନୁସାରେ କୈାଣସି ଧାର୍ମିକ ସମାବେଶ ହୋଇପାରିବ ନାହିଁ । ଏସବୁ ଦୃଷ୍ଟିକୋଣରୁ ଅଞ୍ଚଳବାସୀଙ୍କ ନିରାପତ୍ତା ଲାଗି ଏବଂ ସୁସ୍ଥ, ନିରୋଗ କାମନା କରି ରଥଯାତ୍ରାକୁ ବନ୍ଦ କରାଯାଇଛି ବୋଲି ସମ୍ମିଳନୀରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପାତ୍ର କହିଛନ୍ତି ।

ଏଥିସହିତ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ନିରୋଗ, ସୁସ୍ଥ, ସୁରକ୍ଷିତ ଓ ଅଞ୍ଚଳର ଉନ୍ନତି ପାଇଁ କମିଟି ତରଫରୁ ପ୍ରାର୍ଥନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *