କରୋନା ଚିକିତ୍ସା ସମୟରେ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କରୋନା ମୁକାବିଲାରେ ସମ୍ମୁଖ ଯୋଦ୍ଧା ସାଜିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଚିକିତ୍ସା ସମୟରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ସମନ୍ୱୟରେ ସେମାନଙ୍କୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
କେବଳ ସେତିକି ନୁହେଁ ଚାକିରୀର ଶେଷ ଦିନ ପର୍ଯ୍ୟନ୍ତ ତାଙ୍କୁ ତାଙ୍କର ଦରମା ପ୍ରଦାନ କରାଯିବ । ସେମାନଙ୍କର ମୃତ ଦେହକୁ ରାଜ୍ୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଘୋଷଣା ହୋଇଛି । ସେହିପରି କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କର ଶେଷ ତାରିଖ ପର୍ଯ୍ୟନ୍ତ ଦରମା ପ୍ରଦାନ ସହ ସେମାନଙ୍କର ମୃତଦେହକୁ ରାଜ୍ୟ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଏହା ଉଭୟ ସରକାରୀ ଓ ବେସରକାରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଲାଗୁ ହେବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।
ମାତ୍ର ଅପରପକ୍ଷରେ ଡାକ୍ତରମାନଙ୍କୁ ସେମାନଙ୍କର ଦାବି ମୁତାବକ ପିପିଇ କିଟ୍ ଯୋଗାଇବା ସହ ସେମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ସଂପୂର୍ଣ୍ଣ ଭାବେ ସୁରକ୍ଷା କିଟ୍ ଯୋଗାଇ ଦେବା ପରେ ଯଦି କୌଣସି ଅଘଟଣ ଘଟେ ତେବେ ଏହି ଘୋଷଣା ତାଙ୍କ ପାଇଁ କାର୍ଯ୍ୟକାରୀ ହେବା ଉଚିତ ବୋଲି କୁହାଯାଇଛି । ମାତ୍ର ସୁରକ୍ଷା କିଟ୍ ଯୋଗାଇ ନଦେଇ ସେମାନଙ୍କ ପାଇଁ ଏପରି ଘୋଷଣାର କୌଣସି ମୂଲ୍ୟ ରହିବ ନାହିଁ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *