ଘରୋଇ ଚିକିତ୍ସାଳୟକୁ ସଜାଗ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ମଇ ୨: ବାତ୍ୟା ମୁକାବିଲା ଲାଗି ଘରୋଇ ଡାକ୍ତରଖାନା ଗୁଡିକ ସଜାଗ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି । ବିଶେଷକରି କ୍ଷତିଗ୍ରସ୍ତଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଲାଗି ଅଧିକ ଶଯ୍ୟା ସଂରକ୍ଷିତ ସହିତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିବା ଏବଂ ଆମ୍ବୁଲାନ୍ସ ଗୁଡିକୁ ସଜାଗ ରଖିବାଲାଗି ପରାମର୍ଶ ଦିଆଯାଇଛି ।
ରାଜ୍ୟର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଜି ଏ ସଂକ୍ରାନ୍ତରେ ଡାକ୍ତର ମେହେର୍ଦ୍ଦା ଆଲୋଚନା କରିଛନ୍ତି । ଆଲୋଚନା କାଳରେ ଘରୋଇ ଚିକିତ୍ସାଳୟ ଗୁଡିକ ଜଣେ ଜଣେ ନୋଡାଲ ଅଫିସରଙ୍କୁ ସ୍ୱତନ୍ତ୍ର ବାତ୍ୟା ସମୟରେ ନିୟୋଜିତ ଲାଗି ସେ କହିଛନ୍ତି ।
ରାଜ୍ୟ ସଚିବାଳୟରେ ସ୍ୱାସ୍ଥ୍ୟ ସଚିବ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ବାତ୍ୟା ମୁକାବିଲା ଲାଗି କରିଥିବା ଅନ୍ୟଏକ ବୈଠକରେ ବିଭିନ୍ନ ଜିଲ୍ଲାର ତାଜା ସ୍ଥିତି ସଂକାନ୍ତରେ ସମୀକ୍ଷା କରିଥିଲେ ।
ଏଥିରୁ ଜଣାପଡିଛି ଯେ ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ଆଜି ଅପରାହ୍ନ ସୁଦ୍ଧା ୩୦୨ ଟି ମୋବାଇଲ ମେଡିକାଲ ଟିମ୍‍ ମୁତୟନ ହୋଇଛନ୍ତି । ୪୯୪ଟି ଆମ୍ବୁଲାନ୍ସ ସଜାଗ ରହିଛି । ଏଥି ସହିତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ୩୩୬ ମେଡିକାଲ ରିଲିଫ କେନ୍ଦ୍ର ଖୋଲିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ହୋଇଛି ।
ବର୍ତ୍ତମାନ ସୁଦ୍ଧା ୧୩୧୭ ଗର୍ଭବତୀ ମହିଳାଙ୍କୁ ମା’ ଗୃହ / ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଅଣାଯାଇଛି । ସେଥି ମଧ୍ୟରେ ବାଲେଶ୍ୱରର ୨୪ଜଣ ଥିବାବେଳେ ଭଦ୍ରକରେ ୮୪, କଟକରେ ୯୪, ଢେଙ୍କାନାଳରେ ୭୫, ଗଞ୍ଜାମରେ ୩୭୬, ଗଜପତରେ ୧୩୧, ଜଗତ୍‍ସିଂହପୁରରେ ୪୫, ଯାଜପୁରରେ ୧୩, କେନ୍ଦ୍ରାପଡାରେ ୯୮, କେନ୍ଦୁଝରରେ ୭୬, ଖୋରଧାରେ ୭୧, ମୟୁରଭଞ୍ଜରେ ୫୦, ପୁରୀରେ ୧୨୨ ଏବଂ ନୟାଗଡରେ ୫୮ଜଣ ଅଛନ୍ତି । ଏହି ଆସନ୍ନ ପ୍ରସବାଙ୍କ ଲାଗି ଖାଦ୍ୟ ପେୟ ସମେତ ସମସ୍ତ ପ୍ରକାର ଡାକ୍ତରୀ ସୁବିଧା ଉପଲବ୍ଧ କରାଯାଇଛି ।
ତେବେ ଏପର୍ଯ୍ୟନ୍ତ ୨୪୨ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପାୱାର ବ୍ୟାକ୍‍ଅପ୍‍ ବ୍ୟବସ୍ଥା ନିଶ୍ଚିତ କରାଯାଇଥିବାବେଳେ ଅନ୍ୟ ଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ଏହା ଜାରି ରହିଛି ।
ଜିଲ୍ଲାମାନଙ୍କୁ ଯାଇଥିବା ବିଭାଗୀୟ ନୋଡାଲ ଅଧିକାରୀମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ବାତ୍ୟା ମୁକାବିଲା ଲାଗି ପଦକ୍ଷେପ ନେବାକୁ ଡାକ୍ତର ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଲିଙ୍ଗରାଜ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶରତ କୁମାର ମିଶ୍ର, ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ହର ପ୍ରସାଦ ପଟ୍ଟନାୟକ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶିକା ବିଜୟଲକ୍ଷ୍ମୀ ଗୁରୁଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *