ଧର୍ମପୀଠ ଉପରେ ନିର୍ଭରଶୀଳଙ୍କୁ ସହାୟତା ଦିଅ: ନିରଂଜନ

ଭୁବନେଶ୍ୱର: କରୋନା ମହାମାରୀର ସଂକ୍ରମଣ ଆଶଙ୍କାରେ ଆଜି ସମଗ୍ର ବିଶ୍ୱ ଆତଙ୍କିତ । ଏହି ପରସ୍ଥିତିରେ ଓଡିଶାର ଜନସାଧାରଣଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷାକରିବା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି, ତାହା ସ୍ୱାଗତଯୋଗ୍ୟ । ଆନୁଷ୍ଠାନିକ ଭାବେ ସମଗ୍ର ଦେଶରେ ତାଲାବନ୍ଦ ମଇ ମାସ ୩ ତାରିଖ ପର୍ଯ୍ୟନ୍ତ ହେଉଥିଲେ ମଧ୍ୟ, ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମାଜିକ ଦୂରତା ରକ୍ଷାକରିବା କେତେଦିନ ଆବଶ୍ୟକ ହେବ, ତାହା ହୁଏତ ଏବେଠାରୁ ଆକଳନ କରିହେବ ନାହିଁ ।
ଏହି ତାଲାବନ୍ଦ ଯୋଗୁଁ ଆମ ରାଜ୍ୟର ଲକ୍ଷାଧିକ ଚାଷୀ, ଶ୍ରମଜୀବି, ଉଠାଦୋକାନୀ ପ୍ରଚୁର କ୍ଷତି ସହିଲେଣି । ଓଡିଶା ବାହାରେ ରହୁଥିବା ଶ୍ରମିକମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରେସନ କାର୍ଡ ନପାଇଥିବା ଲୋକେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଜୀବିକା ବନ୍ଦ ହୋଇଯାଇଥିବାରୁ ଜୀବନ ନିର୍ବାହ ଦୁର୍ବିସହ ହୋଇପଡିଲାଣି । ତଥାପି କରୋନା ସଂକ୍ରମଣ ଆଶଙ୍କାରେ ସେମାନେ ସରକାରଙ୍କ ସମସ୍ତ କଟକଣାକୁ ମାନି ଚଳୁଛନ୍ତି । ଇତି ମଧ୍ୟରେ ସରକାର ଶ୍ରମଜୀବିମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପ୍ରସଙ୍ଗ ସେମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିପାରେ । କିନ୍ତୁ ଏହା ସେମାନଙ୍କ କ୍ଷତି ଭରଣା ପାଇଁ ଯଥେଷ୍ଟ ନୁହେଁ ।
ସେହିପରି ଦୀର୍ଘଦିନ ହେଲା ରାଜ୍ୟର ସମସ୍ତ ଧର୍ମପୀଠ ବନ୍ଦ ହୋଇଥିବାରୁ ସେବାୟତ, ପୂଜକମାନେ ମଧ୍ୟ ଆର୍ଥିକ ଦୁର୍ଗତି ମଧ୍ୟରେ ସମୟ ବିତାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୧୩୦ ସେବାୟତ ପରିବାରକୁ ପରିବାର ପିଛା ୫ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି । ଏହା ଏକ ଉତ୍ତମ ପଦକ୍ଷେପ । କିନ୍ତୁ ତାଲା ବନ୍ଦ ଯୋଗୁ କେବଳ ଶ୍ରୀମନ୍ଦିରର ସେବାୟତମାନେ ପ୍ରଭାବିତ ହୋଇନାହାନ୍ତି । ସମଗ୍ର ରାଜ୍ୟର ଏପରି କୌଣସି ପଂଚାୟତ ନାହିଁ, ଯେଉଁ ଠାରେ ସ୍ଥାନୀୟ ପ୍ରସିଦ୍ଧି ଲାଭ କରିଥିବା ମଠ, ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ୱାର ବା ଧର୍ମପୀଠ ନାହିଁ । ସେଥିମଧ୍ୟରୁ କେତେକ ଦେବୋତ୍ତର କମିଶନଙ୍କ ତତ୍ତ୍ବାବଧାନରେ ଥିବା ବେଳେ ବହୁ ମଠ, ମନ୍ଦିର ଓ ଅନ୍ୟାନ୍ୟ ଧର୍ମପୀଠ ଗ୍ରାମବାସୀଙ୍କ ସହଯୋଗରେ ତିଷ୍ଟି ରହିଛି । ଏହି ସବୁ ଧର୍ମପୀଠରେ ସେବାୟତ, ପୂଜକ, ମାଳି, ରୋଷେୟା ଆଦି କାମରେ ଏକ ଲକ୍ଷରୁ ଅଧିକ ପରିବାର ନିର୍ଭର କରନ୍ତି । ମାସାଧିକ କାଳ ହେଲା ତାଲାବନ୍ଦ ଯୋଗୁ ଏହି ସବୁ ଧର୍ମାନୁଷ୍ଠାନ ଉପରେ ନିର୍ଭରଶୀଳ ପୂଜକ, ମାଳି, ଭୋଗ, ଦୀପ ଦୋକାନୀ ପ୍ରଚୁର କ୍ଷତି ସହିଲେଣି । ସେମାନଙ୍କର ଚଳିବାର ଆଉ କୌଣସି ପନ୍ଥା ନାହିଁ । ତେଣୁ ଶ୍ରୀମନ୍ଦିରର ସେବାୟତମାନଙ୍କ କ୍ଷତିକୁ ଭରଣା କରି ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଥିବା ବେଳେ ରାଜ୍ୟର ଛୋଟବଡ ସବୁ ଧର୍ମପୀଠର ପୂଜକ, ସେବକ, ମାଳି ଓ ଅନ୍ୟାନ୍ୟ ଧର୍ମପୀଠର ସେବକ ଇତ୍ୟାଦିଙ୍କୁ ମଧ୍ୟ ସରକାର ଅନୁରୂପ ଭାବେ ଆର୍ଥିକ ସହାୟତା ଦେବା ଉଚିତ୍ ବୋଲି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *