ଆରୋଗ୍ୟ ସେତୁ ଏବେ ଓପନ୍ ସୋର୍ସ୍ ସଫ୍ଟୱେର୍

ନୂଆଦିଲ୍ଲୀ, ସେ ୨୬: କୋଭିଡ19 ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏପ୍ରିଲ 2, 2020ରେ ଭାରତ ଆରୋଗ୍ୟ ସେତୁ ମୋବାଇଲ୍ ଆପର ଶୁଭାରମ୍ଭ କରିଥିଲା। ବ୍ଲୁଟୁଥ୍ ଆଧାର କରି ସଂକ୍ରମିତକୁ ଚିହ୍ନଟ କରିବା, ହଟସ୍ପଟକୁ ଠାବ କରିବା ଏବଂ କୋଭିଡ-19 ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରସାର କରିବା କ୍ଷେତ୍ରରେ ଏହି ଆପ୍ ବିଶେଷ ସହାୟକ ହୋଇଛି । ମେ 26 ତାରିଖ ସୁଦ୍ଧା ଏହାକୁ 114 ନିୟୁତ ଲୋକ ବ୍ୟବହାର କରୁଛନ୍ତି । ଏହା ଆଣ୍ଡ୍ରଏଡ, ଆଇଓଏସ୍ ଏବଂ କେଏଆଇଓଏସ୍ ପ୍ଲାଟଫର୍ମରେ 12ଟି ଭାଷାରେ ଉପଲବ୍ଧ ହେଉଛି। ଦେଶର ନାଗରିକମାନେ ନିଜକୁ, ନିଜ ପ୍ରିୟଜନଙ୍କୁ ଏବଂ ଦେଶକୁ ସୁରକ୍ଷିତ ରଖିବା ନିମନ୍ତେ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରୁଛନ୍ତି । ଏହା ଯୁବବର୍ଗଙ୍କ ପାଇଁ ବଡିଗାର୍ଡ୍ ଭାବେ କାମ କରୁଛି ।

ଆରୋଗ୍ୟ ସେତୁର ଗୁରୁତ୍ବପୂର୍ଣ୍ଣ ଆଧାର ହେଉଛି ସ୍ଵଚ୍ଛତା, ଗୋପନୀୟତା, ସୁରକ୍ଷା । ଏହା ଓପନ୍ ସୋର୍ସ୍ ସଫ୍ଟୱେର୍ ଉପରେ ଭାରତର ନୀତି ଆଧାରିତ ଏବଂ ଆରୋଗ୍ୟ ସେତୁ ଆପର ସୋର୍ସ୍ କୋଡକୁ ବର୍ତ୍ତମାନ ଓପନ୍ ସୋର୍ସ୍ ବା ମୁକ୍ତ ଉତ୍ସ୍ କରି ଦିଆଯାଇଛି । ଯାହାକି ସମୀକ୍ଷା ଏବଂ ସହଯୋଗ ଲାଗି ଆଣ୍ଡ୍ରଏଡ୍ ଭର୍ସନ୍ ପାଇଁ https://github.com/nic-delhi/AarogyaSetu_Android.git. ରେ ଉପଲବ୍ଧ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଆପ୍ଲିକେସନ୍ ଆଇଓଏସ୍ ଭର୍ସନକୁ ଓପନ୍ ସୋର୍ସ୍ କରି ଦିଆଯିବ ଏବଂ ଏହାପରେ ସର୍ଭର୍ କୋଡକୁ ଜାରି କରାଯିବ । ଆରୋଗ୍ୟ ସେତୁର 98 ପ୍ରତିଶତ ବ୍ୟବହାରକାରୀ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ରହିଛନ୍ତି ।

ସୋର୍ସ୍ କୋଡକୁ ଡେଭଲପର୍ କମ୍ୟୁନିଟି ପାଇଁ ଉନ୍ମୁକ୍ତ କରାଯିବା ଦ୍ଵାରା ପାରଦର୍ଶିତା ଏବଂ ସହଯୋଗ ପାଇଁ ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରାଯାଇଛି । ଆରୋଗ୍ୟ ସେତୁ ହେଉଛି ସରକାର୍, ଉଦ୍ୟୋଗ, ବିଶେଷଜ୍ଞ ଏବଂ ନାଗରିକମାନଙ୍କ ମଧ୍ୟରେ ସହଯୋଗର ଏକ ଉଲ୍ଲେଖନୀୟ ଉଦାହରଣ । ଏହି ବିଶ୍ଵସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ଆମ ଦେଶର ପ୍ରତିଭାସମ୍ପନ୍ନ ଯୁବ ପ୍ରଯୁକ୍ତି ବିଶେଷଜ୍ଞମାନେ କଠିନ ପରିଶ୍ରମ କରିଛନ୍ତି । ସୋର୍ସ୍ କୋଡକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବା ଫଳରେ ସହଯୋଗ ବୃଦ୍ଧି ଏବଂ ଦେଶର ପ୍ରତିଭାସମ୍ପନ୍ନ ଯୁବ ବୈଷୟିକ ବିଶେଷଜ୍ଞ୍ ଏବଂ ନାଗରିକମାନଙ୍କ ବିଶେଷଜ୍ଞତାକୁ ହାସଲ କରିବା ସମ୍ଭବ ହୋଇପାରିବ। ବିଶ୍ବସ୍ତରରେ କୋଭିଡ-19 କଣ୍ଟାକ୍ଟ ଟ୍ରେସିଂ ଏବଂ ସେଲ୍ଫ୍ ଆସେସମେଣ୍ଟ୍ ଲାଗି ଉଦ୍ଦିଷ୍ଟ ଏକାଧିକ ଆପ୍ ମଧ୍ୟରୁ ଆରୋଗ୍ୟ ସେତୁ ପ୍ରସାର ଏବଂ ପ୍ରଭାବ ସର୍ବାଧିକ ରହିଛି । ଏହାଛଡ଼ା ଲକ୍ଷଣକୁ ଆଧାର କରି ସଂକ୍ରମିତକୁ ଚିହ୍ନଟ କରିବାରେ ଏହା ବିଶେଷ ସହାୟକ ହୋଇପାରିବ । ଏହାର 114 ଜଣ ପଞ୍ଜିକୃତ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସେମାନଙ୍କ ସେଲ୍ଫ୍ ଆସେସମେଣ୍ଟ୍ ଟେଷ୍ଟ୍ (ଆତ୍ମ ସ୍ଵାସ୍ଥ୍ୟ ପରୀକ୍ଷଣ) କରିଛନ୍ତି ।

ଏହି ଆପ୍ ଜରିଆରେ ପାଖାପାଖି ପାଞ୍ଚ ଲକ୍ଷ ବ୍ଲୁଟୁଥ୍ କଣ୍ଟାକ୍ଟଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନସୁଦ୍ଧା ଏହି ପ୍ଲାଟଫର୍ମ୍ 9 ଲକ୍ଷ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କୁ କ୍ଵାରେଣ୍ଟାଇନ୍, ସତର୍କତା ଓ ପରୀକ୍ଷା ପାଇଁ ସହାୟକ ହୋଇଛି । ସେହିପରି ଯେଉଁମାନଙ୍କୁ ନମୁନା ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି ସେମାନଙ୍କ ମଧ୍ୟରୁ 24% ପଜିଟିଭ୍ ବାହାରିଛନ୍ତି । ମେ 26 ତାରିଖ ସୁଦ୍ଧା ମୋଟ 3126119 ନମୁନା ପରୀକ୍ଷା ମଧ୍ୟରୁ 4.65% ବା 145380 ପଜିଟିଭ୍ ସଂଖ୍ୟା ସହିତ ଏହାକୁ ତୁଳନା କରାଯାଇପାରେ । ଆରୋଗ୍ୟ ସେତୁ ଆପ୍ ଜରିଆରେ 3500 ହଟସ୍ପଟକୁ ଚିହ୍ନଟ କରାଯାଇଛି।

ବହୁଳ ବ୍ୟବହୃତ ଏକ ଆପର ସୋର୍ସ୍ କୋଡ୍ ଜାରି କରାଯିବା ବେଶ ଆହ୍ବାନପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଓପନ୍ ସୋର୍ସ୍ ବିକାଶ ପ୍ରକ୍ରିୟାକୁ ନ୍ୟାସନାଲ୍ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ପରିଚାଳନା କରିବ ।ଓପନ୍ ସୋର୍ସ୍ କୋଡ୍ ଜାରି କରାଯିବା ସହିତ ଏହି ଆପରେ ରହିଥିବା ଦୁର୍ବଳତାକୁ ଚିହ୍ନଟ କରିବା ସହିତ ଏହାକୁ ଦୂର କରିବା ନିମନ୍ତେ ବିକାଶକାରୀ ସମୁଦାୟଙ୍କ ଠାରୁ ସରକାର୍ ସହଯୋଗ ଆଶା କରୁଛନ୍ତି । ଏଥିପାଇଁ ସରକାର୍ ଏକ ବଗ୍ ବଣ୍ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ମାଇ ଗଭର https://innovate.mygov.in/ ପୋର୍ଟାଲରେ ଉପଲବ୍ଧ।

Spread the love

Leave a Reply

Your email address will not be published. Required fields are marked *