ଶହୀଦ ରଘୁ ଦିବାକରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୦୪/୦୪/୨୦୧୯: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନର ଦୁଇ ବିପ୍ଳବୀ ସାଥୀ ଶହୀଦ ରଘୁ- ଦିବାକରଙ୍କ ଉଦ୍ଦେଶ୍ୟରେ ଆଜି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ଏବଂ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ରଘୁ- ଦିବାକରଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ରଣପୁର ପ୍ରଜା ଆନ୍ଦୋଳନ ସମୟରେ ବେଜେଲ୍‌ଗେଟ୍‌ ହତ୍ୟାକାଣ୍ଡ ମାମଲାରେ ଆଜିର ଦିନରେ ଫାଶୀ ପାଇଥିବା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଆୟୋଜିତ ଏହି ସରଳ ତଥା ନିରାଡ଼ମ୍ବର କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।

ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ସହିତ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଉପନିର୍ଦ୍ଦେଶକ ଶ୍ରୀ ବିପିନ୍‌ ବିହାରୀ ବାରିକ, ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସଙ୍କ ସମେତ ବିଭାଗର ସୂଚନା ଅଧିକାରୀ, ସହସୂଚନା ଅଧିକାରୀ, ପଦାଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଭୁବନେଶ୍ୱରସ୍ଥିତ ରଣପୁର ସାଂସ୍କୃତିକ ପରିଷଦ ତଥା ରାଜ୍ୟସ୍ତରୀୟ ରଘୁ-ଦିବାକର ସ୍ମୃତି ପରିଷଦର ସଂପାଦକ ଶ୍ରୀ ଗୌରାଙ୍ଗ ନାୟକ, ଅନୁଷ୍ଠାନର ସଦସ୍ୟ ଶ୍ରୀ କିଶୋର ଚନ୍ଦ୍ର ଖିଲାର, ଶ୍ରୀ ଶ୍ୟାମାପ୍ରସାଦ ପଟ୍ଟନାୟକ, ଶ୍ରୀ ଗୋବିନ୍ଦ ପ୍ରଧାନ, ଶ୍ରୀ ଅନୀଲ କୁମାର ରାୟ, ଶ୍ରୀ ଶରତ ସୁନ୍ଦରରାୟ, ଶ୍ରୀ ସୁରେଶ ଚନ୍ଦ୍ର ଦାସ, ଶ୍ରୀ ଗିରିଜା ଶଙ୍କର ମହାପାତ୍ର ଓ ସୌଦାମିନୀ ପାଇକରାୟଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ସକାଳେ ୟୁନିଟ୍‌-୯ ରେଡ଼କ୍ରସ ଭବନ ନିକଟରେ ପ୍ରତିଷ୍ଠିତ ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ବିଭାଗ ପକ୍ଷରୁ ଉପନିର୍ଦ୍ଦେଶକ ଶ୍ରୀ ବାରିକ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ରଘୁ- ଦିବାକର ସ୍ମୃତି ସମିତରି କାର୍ଯ୍ୟକର୍ତ୍ତା ଶ୍ରୀ ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ କୁଶାସନ ବିରୋଧରେ ରଣପୁରରେ ପ୍ରଜା ଆନ୍ଦୋଳନ ବ୍ୟାପକ ହୋଇଥିଲା । ରଣପୁର ରାଜା ବ୍ରିଟିଶଙ୍କ ହାତବାରିସୀ ହୋଇଥିବାବେଳେ ବେଠି, ବେଗାରୀ, ମାଗଣ ଇତ୍ୟାଦି କୁପ୍ରଥା ବିରୋଧରେ ପ୍ରଜାମାନଙ୍କ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା । ୧୯୩୯ ମସିହା ଜାନୁଆରୀ ମାସରେ ପ୍ରଜା ବିଦ୍ରୋହ ଦମନ କରିବା ପାଇଁ ରଣପୁର ଯାଇଥିବା ପଲିଟିକାଲ ଏଜେଣ୍ଟ ମେଜର ବେଜେଲ୍‌ଗେଟ୍‌ଙ୍କ ମୃତ୍ୟୁକୁ ନେଇ ଶହୀଦ ରଘୁ-ଦିବାକରଙ୍କୁ ଦୋଷୀ ଭାବେ ଅଭିଯୁକ୍ତ କରାଯାଇଥିଲା ଓ ଭାଗଲପୁର ଜେଲ୍‌ରେ ରଖାଯାଇଥିଲା । ପରେ ସେ ଦୁହିଁଙ୍କୁ ୧୯୪୧ ମସିହା ଅପ୍ରେଲ ୪ ତାରିଖ ଦିନ ସକାଳେ ଫାଶୀ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *