ପ୍ରତାପ ଜେନା ପାଇଲେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର, ୯/୧୧: ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ଶ୍ରୀ ଜେନା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଫେମ୍‍ ଇଣ୍ଡିଆ ପକ୍ଷରୁ ଦେଶର ମନ୍ତ୍ରୀମାନଙ୍କ ଦକ୍ଷତାକୁ ଆକଳନ କରାଯାଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଚଳିତବର୍ଷ ଶ୍ରୀ ଜେନାଙ୍କୁ ଏଥିପାଇଁ ଚୟନ କରାଯାଇଥିଲା ।

ସରକାରଙ୍କ ଜନମଙ୍ଗଳ ଯୋଜନା ଗୁଡିକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ଲାଗି ଦିଗ୍‍ଦର୍ଶନ ଦେବା ଏବଂ ଜଣେ ଦାୟିତ୍ୱ ସମ୍ପନ୍ନ ମନ୍ତ୍ରୀ ଭାବେ କାର୍ଯ୍ୟକରିବା ସହିତ ଦୁର୍ନୀତି ଠାରୁ ଦୂରେଇ ରହୁଥିବା ଆଦି ବିଭିନ୍ନ କ୍ଷେତ୍ରକୁ ଆକଳନ କରି ଫେମ୍‍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଉଛି ।

ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍‍ ମନ୍ତ୍ରୀଭାବେ ଶ୍ରୀ ଜେନା ଦାୟିତ୍ୱ ନିର୍ବାହ କରୁଛନ୍ତି । ଶ୍ରୀ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ପଞ୍ଚମଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ବିଜୁ କୃଷକ ଜନତା ଦଳର ସାଧାରଣ ସମ୍ପାଦକ ଅଛନ୍ତି । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଶ୍ରୀ ଜେନା ରାଜ୍ୟ ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇ ଥିବାବେଳେ ବିଜେଡିର ଚତୁର୍ଥ ପାଳି ସରକାରରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‍, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *