ବିଜେଡିରେ ଏବେ ବିଜେପି ବ୍ଲକ ଅଧ୍ୟକ୍ଷା ଓ ପୂର୍ବତନ ବିଧାୟକ

ଭୁବନେଶ୍ୱର,୧/୪/୨୦୧୯: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ରାମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଶ୍ରୀ ଭରତ ପାଇକ, ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧ୍ୟକ୍ଷା ବିଜେପିର ସୁନନ୍ଦା ଦାସ, ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ ପାଳ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପିର ନେତା ଓ କର୍ମୀମାନଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଯୋଗଦେବା ଅବସରରେ ଶ୍ରୀ ପାଇକ କହିଥିଲେ ଯେ ଆମେ ଯେତେସବୁ ବରିଷ୍ଠ ନେତା ବିଜେପିରେ ଅଛୁ, ଦଳ ଆମକୁ ସମ୍ମାନ ଦେଉନାହିଁ । ଆମ ପ୍ରତି ଅନ୍ୟାୟ କରାଯାଉଛି । ସଂଯୋଗବଶତଃ ଆଜି ଉକ୍ରଳ ଦିବସ, ଯେଉଁଦିନ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବହୁ ମନିଷୀଙ୍କ ପ୍ରଚେଷ୍ଟା ଯୋଗୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସେହି ପ୍ରଦେଶର ସବୁଠାରୁ ବଡ଼ ଦଳ ବିଜୁ ଜନତା ଦଳରେ ଆଜି ଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ଶ୍ରୀ ପାଇକ କହିଥିଲେ । ସେହିପରି ଶ୍ରୀମତୀ ଦାସ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ସହିତ ବରୀର ବିକାଶକୁ ଯୋଡ଼ିବା ଲକ୍ଷ୍ୟରେ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *