ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାରକୁ ନେଇ ହାଇକୋର୍ଟରେ ମାମଲା

କଟକ, ୧୮/୭: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକ ଶବ ସତ୍କାର କରିପାରିବେ ନାହିଁ ବୋଲି ଜୁଲାଇ ୮ ତାରିଖରେ ପୁରୀ ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତିକୁ ଚାଲେଂଜ କରି ହାଇକୋର୍ଟରେ ଦାୟର ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୨ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।

ମାମଲାର ବିବରଣୀରୁ ପ୍ରକାଶ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱର୍ଗଦାରରେ ଶବ ସତ୍କାର ସମ୍ପର୍କିତ କଟକଣା ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ସ୍ୱର୍ଗଦ୍ୱାରରେ ଶବ ସତ୍କାର ହେଲେ ଆତ୍ମାକୁ ପରମାତ୍ମା ସହିତ ମିଳନ ପାଇଁ ସୁଯୋଗ ମିଳେ ବୋଲି ହିନ୍ଦୁ ମାନଙ୍କର ବିଶ୍ୱାସ ରହିଛି । ତେବେ ବହୁ ଲୋକ ଆତ୍ମୀୟଙ୍କ ଇଛା ପୁରଣ ପାଇଁ ସ୍ୱର୍ଗଦ୍ୱାରକୁ ସତ୍କାର ପାଇଁ ପହଁଚିଥାନ୍ତି । ହେଲେ କରୋନା ନାମରେ ପୁରୀ ଜିଲ୍ଲା ବାହାର ଶବକୁ ସ୍ୱର୍ଗଦ୍ୱାରରେ ସତ୍କାର ପାଇଁ ଅନୁମତି ନଦେବା ନିୟମ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଓ କେନ୍ଦ୍ରକୁ ଆବେଦନକାରୀ ସଂଜୀବ କୁମାର ଚିହ୍ନରାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ।

ଏହା ସମ୍ବିଧାନର ଧାରା ୧୫ର ଉଲଂଘନ କରୁଛି । ଏପରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପୁରୀ ଜିଲ୍ଲାପାଳଙ୍କ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଂଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *