ଆଇଟିଆଇ ପ୍ରସ୍ତୁତ କଲା ମଲ୍ଟି ଷ୍ଟେସନ ହ୍ୟାଣ୍ଡ ସାନିଟାଇଜର୍

କଟକ, ୧୯।୦୬: କୋଭିଡ଼-୧୯ ଯୁଦ୍ଧରେ ନିଜର ଅବଦାନ ଦେବା ପାଇଁ କଟକ ଶିଳ୍ପ ତାଲିମ କେନ୍ଦ୍ର ନିରନ୍ତର ଅନ୍ୱେଷଣ ଜାରି ରଖିଛି । ନିଜର ଅଭିଜ୍ଞତା, ସ୍ୱଦେଶୀ ବୈଷୟିକ ଜ୍ଞାନ କୌଶଳ ଓ ସମ୍ବଳ ଭିତରେ ବର୍ତମାନ ଆବଶ୍ୟକତା ଗୁଡ଼ିକ ପୁରଣ କରିବା ପାଇଁ ଭିନ୍ନ ଭିନ୍ନ ଜିନିଷ ତିଆରି କରିବାରେ ନିଜକୁ ବିନିଯୋଗ କରୁଛନ୍ତି । ମହାମାରୀ କରୋନା ସଂକ୍ରମଣରୁ ସମାଜକୁ ସୁରକ୍ଷିତ ରଖିବା ପାଇଁ ଏବେ ପ୍ରସ୍ତୁତ କରିଛନ୍ତି ଏକ “ମଲ୍ଟି ଷ୍ଟେସନ ହ୍ୟାଣ୍ଡ ସାନିଟାଇଜର” ।

ଏହା ମାଧ୍ୟମରେ ଏକ ସମୟରେ ବହୁ ଲୋକ ନିଜକୁ ଜୀବାଣୁ ମୁକ୍ତ କରିପାରିବେ ଏବଂ ଏହା ବିନା ଇଲେକ୍ଟ୍ରିସିଟିରେ ପରିଚାଳିତ ହୋଇପାରିବ । ଏହା ଆଇଟିଆଇର ୱେଲଡ଼ର ଏବଂ ଫିଟର ଟ୍ରେଡ଼ର ଦକ୍ଷ ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି ଆଇଟିଆଇ ଅଧ୍ୟକ୍ଷ ଡ଼ ହୃଷିକେଶ ମହାନ୍ତି ମତବ୍ୟକ୍ତ କରିଛନ୍ତି । ଏହାକୁ ଜନଗହଳି ସ୍ଥାନ, ସ୍କୁଲ, କଲେଜ, କାର୍ଯ୍ୟାଳୟ, ଷ୍ଟେସନ ମାନଙ୍କରେ ହାତ ସଫା ପାଇଁ ଲଗାଯାଇପାରିବ, ଯଦ୍ୱାରା ଲୋକମାନଙ୍କୁ ସଂକ୍ରମଣରୁ ରୋକାଯାଇପାରିବ । ଏହାକୁ ଏକ ସଙ୍ଗେ ୪ଜଣ ବ୍ୟବହାର କରିପାରିବେ ।

ଏହି ପଦ ଚଳିତ ଯନ୍ତ୍ର ୬ ଫୁଟରେ ୬ ଫୁଟ ସ୍ଥାନ ମଧ୍ୟରେ ସ୍ଥାପନ କରାଯାଇପାରିବ । ଏହା ମଧ୍ୟରେ ୫ଶହ ଲିଟର ପାଣି ଟ୍ୟାଙ୍କର ସହ ଟ୍ୟାପ ଖଂଜା ଯାଇଛି । ମାତ୍ର ୩ ହଜାର ଟଙ୍କା ବିନିଯୋଗରେ ଏହା ପ୍ରସ୍ତୁତ କରାଯାଇପାରିବ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହୁ କମ ଅଟେ ବୋଲି ଆଇଟିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *