ବୟସ୍କ, ଭିନ୍ନକ୍ଷମଙ୍କୁ ଘରେ ବ୍ୟାଙ୍କ ସେବା ଯୋଗାଇବାକୁ ପରାମର୍ଶ

ବୟସ୍କ ଓ ଭିନ୍ନକ୍ଷମଙ୍କୁ ଘରେ ବ୍ୟାଙ୍କ ସେବା ଯୋଗାଇବାକୁ ପରାମର୍ଶ
ଭୁବନେଶ୍ୱର: କରୋନା ସମୟରେ ରାଜ୍ୟସରକାର ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରେ ବ୍ୟାଙ୍କ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି । ଅର୍ଥ ବିଭାଗ ପକ୍ଷରୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଲାଗି ଜାରି ହୋଇଥିବା ଏହି ଗାଇଡ଼ ଲାଇନରେ ଯଦି କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ଭିନ୍ନକ୍ଷମ ବ୍ୟକ୍ତି ଆର୍ଥିକ ସେବା ଚାହିଁଥାନ୍ତି ତେବେ ସେମାନଙ୍କୁ ଡୋର ଷ୍ଟେପରେ ଯୋଗାଇ ଦେବାକୁ ପରାମର୍ଶ ଦିଆଯିବା ସହ ଅନୁମତି ପ୍ରଦାନ କରାଯାଇଛି ।

ବ୍ୟାଙ୍କ ଓ ଆର୍ଥକ ସଂସ୍ଥା ଲାଗି ରାଜ୍ୟସରକାର ଅଗଷ୍ଟ ମାସର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ, ଏସପି ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ନିମନ୍ତେ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ, ସମସ୍ତ ରାଷ୍ଟ୍ରାୟତ, ଘରୋଇ, ଗ୍ରାମ୍ୟବ୍ୟାଙ୍କ, ସମବାୟ ବ୍ୟାଙ୍କ, ଛୋଟ ଅର୍ଥଲଗାଣକାରୀ ବ୍ୟାଙ୍କ ଏବଂ ବୀମା କମ୍ପାନୀ ସେମାନଙ୍କ ବଡ଼ ବଡ଼ ଶାଖାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଲୋକଙ୍କୁ ସେବା ଯୋଗାଇ ଦେବେ । ତେବେ ଯେଉଁ ଶାଖାରେ ୫ ଜଣରୁ କମ୍ କର୍ମଚାରୀ ଅଛନ୍ତି ସେଠାରେ ପୂରା କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରିବ ଓ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବା ଓ ହାତ ବିଶୋଧନ କରିବା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । କ୍ଲିୟରିଂ ହାଉସ, ବ୍ୟାଙ୍କ ଗୁଡିକର କଣ୍ଟ୍ରୋଲିଂ ଅଫିସ, ସେବି ବୀମା ଦପ୍ତରକୁ ନିୟନ୍ତ୍ରଣ କରୁଥିବା କାର୍ଯ୍ୟାଳୟ, ଏଟିଏମ୍ ସର୍ଭିସ ଯୋଗାଉଥିବା କମ୍ପାନୀ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର କର୍ମଚାରୀଙ୍କୁ ଦପ୍ତର ସମୟରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ବ୍ୟାଙ୍କ ଚିଠିପତ୍ର (ବିସି) ଏବଂ ସେବା ଯୋଗାଉଥିବା ସଂସ୍ଥା (ସିଏସପି) ଗୁଡ଼ିକ ମଧ୍ୟ କରୋନା ନିୟମ ମାନି କାର୍ଯ୍ୟ କରିବାଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ବୀମା କମ୍ପାନୀ ଶାଖା ଗୁଡିକ ଅଫିସ ସମୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ । ଅଣବ୍ୟାଙ୍କିଙ୍ଗ ଅର୍ଥ କମ୍ପାନୀ କିମ୍ବା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ମନି ଫ୍ଲୋ ଇଣ୍ଡେକ୍ସ (ଏମଏଫଆଇ) ଚଳାଉଥିବା ସଂସ୍ଥା ଗୁଡିକ ଦପ୍ତର ସମୟରେ ୫୦ ପ୍ରତିଶତ କର୍ମଚାରୀ ସହିତ ଶାରୀରିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ହାତ ବିଶୋଧନ କରିବା ନିୟମକୁ ମାନି କାର୍ଯ୍ୟ କରିବାକୁ ରାଜ୍ୟସରକାର ଅନୁମତି ଦେଇଛନ୍ତି ।

ସେହିପରି କରୋନା କଟକଣା ସମୟରେ ବରିଷ୍ଠ ନାଗରିକ କିମ୍ବା ଭିନ୍ନକ୍ଷମ ବ୍ୟକ୍ତିମାନେ ଅର୍ଥ ଆବଶ୍ୟକ କଲେ ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀମାନେ ସେମାନଙ୍କ ଘରକୁ ଯାଇ ଅର୍ଥ ପ୍ରଦାନ କରିବେ । ଏହି ଦୁଇ ବର୍ଗର ବ୍ୟକ୍ତି ଫୋନ ଜରିଆରେ ଅର୍ଥ ଆବଶ୍ୟକ କଲେ ସେମାନଙ୍କ ଘରକୁ ଯାଇ ଅର୍ଥ ଦେବାକୁ ବ୍ୟାଙ୍କ ଓ ଡାକ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ବ୍ୟାଙ୍କ ଓ ଡାକ କର୍ମଚାରୀମାନେ ବରିଷ୍ଠ ନାଗରିକ କିମ୍ବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଘରେ ସେବା ଯୋଗାଣ ସମୟରେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହିତ ହାତ ବିଶୋଧନ କରିବା ଓ ଶାରୀରିକ ଦୂରତା ରକ୍ଷା ନିୟମ ପାଳନ ଲାଗି କୁହାଯାଇଛି ।

ସେହିଭଳି ବ୍ୟାଙ୍କ ଓ ଅର୍ଥ କାରବାର କରୁଥିବା ଅନ୍ୟ ସଂସ୍ଥା ଗୁଡ଼ିକ ସେମାନଙ୍କ ଦପ୍ତରକୁ ନିୟମିତ ଭାବେ ବିଶୋଧନ କରିବା ସହିତ ପ୍ରବେଶ ପଥରେ ନିଶ୍ଚିତ ଭାବେ ଗ୍ରାହକମାନଙ୍କ ପାଇଁ ସାନିଟାଇଜର ରଖିବେ । ଦପ୍ତର ବିଶୋଧନ ସହିତ ସାମାଜିକ ଦୂରତ୍ୱ ନିୟମକୁ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାମାନେ କିଭଳି ପାଳନ କରୁଛନ୍ତି ତାହାର ତଦାରଖ ଲାଗି ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *