ସୋଆ ପ୍ରଫେସରଙ୍କ ଅକାଳ ବିୟୋଗ

ଭୁବନେଶ୍ୱର, ୧୧/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କର ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କର ସୋମବାର ସକାଳେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଛି ।
ଗତ ସପ୍ତାହରେ ତାଙ୍କର ଏକ କାର୍ଡିଆକ୍ ସର୍ଜରୀ କରାଯିବା ସହ ଭଲ୍‌ଭ ପରିବର୍ତନ କରାଯାଇ ନୂତନ ଭଲ୍‌ଭ ପ୍ରତ୍ୟାରୋପଣ କରାଯଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମାନ୍ୱୟେ ବିଗିଡିବାରେ ଲାଗିଥିଲା ଓ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ତେବେ ସୋମବାର ସକାଳେ ସେ ପରଲୋକ ଗମନ କରିଛନ୍ତି ।

୫୪ ବର୍ଷୀୟ ପ୍ରଫେସର ଦାସଙ୍କର ପତ୍ନୀ ଓ ଏକ ମାତ୍ର ପୁଅ ଅଛନ୍ତି । ତାଙ୍କର ଜିଓଟେକ୍ନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବେଶ ପାରଦର୍ଶିତା ଥିଲା ଏବଂ ସେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ସେନ୍‌ସିଟିଭିଟି ଆନାଲିସିସ୍‌, ଅପ୍ଟିମାଇଜେସନ୍‌, ଅନ୍‌ସର୍ଟେନ୍‌ଟି ଆନାଲିସିସ୍‌, ଜେନେଟିକ୍ ପ୍ରୋଗ୍ରାମିଙ୍ଗ୍ ଓ କମ୍ପ୍ୟୁଟେସ୍‌ନାଲ୍ ଇଂଟେଲିଜେନ୍ସ କ୍ଷେତ୍ରରେ ଗବେଷଣାରତ ଥିଲେ । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଜର୍ନାଲ୍‌ରେ ତାଙ୍କର ୯ଟି ସନ୍ଦର୍ଭ ପ୍ରକାଶିତ ହୋଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଟେକ୍ କରିବା ପରେ ସେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଏମ୍‌ଟେକ୍ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଗ୍ରହଣ କରିଥିଲେ ।
ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଷୟରେ ବେଶ ଆଗ୍ରହୀ ଥିବା ପ୍ରଫେସର ଦାସ ସୋଆରେ ୨୦୧୫ ମସିହାରେ “ଗ୍ଲୋବାଲ୍ ୱାର୍ମିଂ, ସି-ଲେଭେଲ୍ ରାଇଜ୍ ଆଣ୍ଡ ଲାଇଭ୍‌ଲିହୁଡ୍ ଆଡପ୍ସନ୍ ଷ୍ଟ୍ରାଟେଜିସ୍ ଆଲଙ୍ଗ ଦ ଇଷ୍ଟକୋଷ୍ଟ ଅଫ୍ ଇଣ୍ଡିଆ” ଶୀର୍ଷକ ଏକ ଆନ୍ତର୍ଜାତିକ କର୍ମଶାଳା ଓ ୨୦୧୭ ମସିହାରେ “ଅଣ୍ଡରଷ୍ଟାଣ୍ଡିଙ୍ଗ କ୍ଲାଉଡ୍ସ” ଶୀର୍ଷକ ଏକ ଜାତୀୟ କର୍ମଶାଳାର ଆୟୋଜନ କରିଥିଲେ ।

ସୋଆର ପ୍ରତିଷ୍ଠାତା ସଭାପତି ତଥା ପ୍ରଫେସର ଦାସଙ୍କ ନିକଟ ସମ୍ପର୍କୀୟ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ, ସୋଆର ଫାଉ୍‌ଣ୍ଡିଙ୍ଗ ମେମ୍ବର ସୁମନ୍ ଶାଶ୍ୱତ ନାୟକ ଓ କୁମାରୀ ଉପାସନା ନାୟକ ସୋମବାର ସକାଳୁ ହସ୍ପିଟାଲ୍ ଯାଇ ପ୍ରଫେସର ଦାସଙ୍କର ଶେଷ ଦର୍ଶନ କରିଥିଲେ । ସେହିପରି ଦ୍ୱୈତ୍ୟନଗରୀ କଟକ, ଭୁବନେଶ୍ୱର କମିଶନରେଟ୍ ପୋଲିସ୍‌ର ପୋଲିସ୍ କମିଶନର ତଥା ପ୍ରଫେସର ଦାସଙ୍କର ବନ୍ଧୁ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ହସ୍ପିଟାଲ୍‌ରେ ତାଙ୍କର ଶେଷ ଦର୍ଶନ କରିଥିଲେ ।

ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏକ ଶୋକ ସଭାର ଆୟୋଜନ କରାଯାଇଥିବା ବେଳେ ଚାନ୍‌ସେଲର ପ୍ରଫେସର ଡି. ପି. ରାୟ, କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପୁର୍ବତନ କୁଳପତି ପ୍ରଫେସର ଆର୍‌.ପି. ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଂଟ୍ରୋଲ୍‌ର ଅଫ୍ ଏଗ୍‌ଜାମିନେସନ୍‌ ପ୍ରଫେସର ମଞ୍ଜୁଳା ଦାସ ପ୍ରମୁଖ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ । ଏହି ଶୋକ ସଭାରେ ବିଶ୍ୱବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ, କର୍ମକର୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ । ଜଣେ ମିଷ୍ଟଭାଷୀ, ଭଦ୍ର ମଣିଷ ଏବଂ ବିଚକ୍ଷଣ ଶିକ୍ଷକଙ୍କୁ ସୋଆ ହରାଇଲା ବୋଲି ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ସେହିପରି ପ୍ରଫେସର ଦାସଙ୍କ ପାର୍ଥିଵ ଶରୀରକୁ ଆଇଟିଇଆର୍ କ୍ୟାମ୍ପସକୁ ମଧ୍ୟ ନିଆଯାଇଥିଲା । ସେଠାରେ ଫାକଲ୍ଟି, ଷ୍ଟାଫ୍ ଓ ଛାତ୍ରଛାତ୍ରୀମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୁମା ରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ତଥା ତାଙ୍କ ସମ୍ପର୍କୀୟ ସୁନୀଲ ଦାସ, ଆଇଆଇଟି ଭୁବନେଶ୍ୱରର ଏମିରିଟସ୍ ପ୍ରଫେସର ୟୁ. ସି. ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଭିଜିଟିଙ୍ଗ୍ ପ୍ରଫେସର ତଥା ତାଙ୍କର ମଝିଆ ଭାଇ ପ୍ରଫେସର ନିହାର ରଞ୍ଜନ ଦାସ, ସାନ ଭାଇ ତଥା ସୋଆ ଡେପୁଟି କଂଟ୍ରୋଲ୍‌ର ଡକ୍ଟର ସତ୍ୟରଞ୍ଜନ ଦାସ ଓ ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶହ ଶହ ଛାତ୍ରଛାତ୍ରୀ ତାଙ୍କୁ ଅଶୃଳ ବିଦାୟ ଦେଇଥିଲେ ।

ତାଙ୍କର ପାର୍ଥିବ ଶରୀରକୁ ପୈତୃକ ପିପିଲି ନିକଟବର୍ତୀ ସିଉଳା ଗ୍ରାମକୁ ନିଆଯାଇଥିଲା । ସେଠାରେ ତାଙ୍କର ସମ୍ପର୍କୀୟ ଓ ପରିବାରବର୍ଗ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ପ୍ରଫେସର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *