ପ୍ରବାସୀ ଶ୍ରମିକଙ୍କୁ କାମ ଦେବାରେ ଖର୍ଚ୍ଚ ହେବ 50 ହଜାର କୋଟି

6ଟି ରାଜ୍ୟର 116 ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ 125 ଦିନର କାମ ଦେବା ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାର ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୮: ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦ ତାରିଖ ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ଏହି ଯୋଜନାର ଶୁଭାରମ୍ଭ ହେବ ।

ଏହାଛଡା ଅନ୍ୟ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ଆପାତତଃ ଉଦଘାଟନୀ ସମାରୋହରେ ଯୋଗଦେବେ । କୋଭିଡ-୧୯ ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ୬ଟି ରାଜ୍ୟର ୧୧୬ ଜିଲ୍ଲାର ଗ୍ରାମବାସୀ ସାଧାରଣ ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ସାମାଜିକ ଦୂରତ୍ଵ ନିୟମ ମାନି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

୧୨୫ ଦିନ ବ୍ୟାପୀ ଏହି ଅଭିଯାନ ମିଶନ ମୋଡରେ ଚାଲିବା ସହ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ । ଗୋଟିଏ ପଟରେ ସେମାନଙ୍କୁ କାମ ଯୋଗାଇଦେବା ସହ ଅନ୍ୟ ପକ୍ଷରେ ଦେଶର ଗ୍ରାମାଞ୍ଚଳରେ ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇପାରିବ । ଏହି ଯୋଜନା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ।

ପ୍ରାୟ ୨୫ ହଜାର ଲେଖାଏଁ ପ୍ରବାସୀ ଶ୍ରମିକ ଫେରିଥିବା ଦେଶର ୬ଟି ରାଜ୍ୟରୁ ମୋଟ ୧୧୬ଟି ଜିଲ୍ଲାକୁ ଏଥିପାଇଁ ବଛାଯାଇଛି । ଏହି ୬ଟି ରାଜ୍ୟ ହେଲା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶା । ସେଥିରେ ୨୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ରହିଛି । ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହିସବୁ ଜିଲ୍ଲାର ହୋଇଥିବା ଆକଳନ କରାଯାଇଛି ।

ଏହି ଅଭିଯାନକୁ ୧୨ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହଯୋଗ କରିବେ । ସେଗୁଡିକ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ।

Spread the love

Leave a Reply

Your email address will not be published. Required fields are marked *