ଶରତ କରଙ୍କ ପରଲୋକ

ଭୁବନେଶ୍ୱର, ଅକ୍ଟୋବର ୧୨: ବିଚକ୍ଷଣ ରାଜନୀତିଜ୍ଞ, ସୁସାହିତ୍ୟିକ, ପ୍ରାକ୍ତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଶରତ କରଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସଫିଟାଲରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ହେଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ କରୋନାରୁ ମୁକ୍ତ ହୋଇଥିଲେ । ହେଲେ ପରେ ସେ କିଡୀନ ଜନୀତ ରୋଗରେ ଆକ୍ରାନ୍ତ ହୋଇଥିଲେ ।

ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚିତ ପୁରୁଷ ବିଜୁ ବାବୁଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ୧୯୭୧ ରେ ସେ ସର୍ବକନିଷ୍ଠ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସଫଳତା ପାଇଥିଲେ । କଟକ ଲୋକସଭା ଆସନରୁ ୧୯୭୭ ମସିହାରେ ନିର୍ବାଚିତ ହୋଇଥିଲା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୩ ଥର ପ୍ରତିନିଧିତ୍ୱ କରି ୧୯୯୦ ମସିହାରେ ବିଜୁପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଯୁବ ବ୍ୟାପାର, ସଂସ୍କୃତି, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ହୋଇଥିଲେ । ପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାରରେ ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ସ୍ୱର୍ଗତ କର । ଜଣେ ସୁସାହିତ୍ୟିକ, ପ୍ରଚଣ୍ଡ ବାଗ୍ମୀ, ସୁବକ୍ତା ଭାବେ ସେ ନିଜକୁ ପ୍ରତିପାଦିତ କରିପାରିଥିଲେ ।

୧୯୬୪ ମସିହାରେ ମାହାଙ୍ଗାରେ ଗଣକବି ସ୍ମୃତି ସଂସଦ ନାମକ ଏକ ସାରସ୍ୱତ ଅନୁଷ୍ଠାନ ଜରୀଆରେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବୈଷ୍ଣବ ପାଣି ସାହିତ୍ୟ ଓ ନାଟକକୁ ପ୍ରଚାର ପ୍ରସାର କରାଇଥିଲେ ।

ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆଇନମନ୍ତ୍ରୀ ପ୍ରତାପ ଜେନା, ଆନ୍ଦ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧିଦଳ ନେତା ପ୍ରଦୀପ ନାୟକ, ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ମୁଖ୍ୟ ସଚେତକ ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରମୁଖ ସ୍ୱର୍ଗତ କରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *