ତୃଣମୂଳ ସ୍ତରରେ ଡିଜିଟାଲ୍ ଗଣମାଧ୍ୟମ ପହଂଚିବା ଦରକାର

ଡିଜିଟାଲ୍ ଗଣମାଧ୍ୟମ ଅଧିକ ଲୋକାଭିମୁଖୀ ହେବା ଆବଶ୍ୟକ: ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର , ୩୦/ ୧୨ : ଡିଜିଟାଲ୍ ଟେକ୍ନୋଲୋଜିର କ୍ରମାଗତ ଉନ୍ନତି ପରିପ୍ରେକ୍ଷୀରେ ଏହାର ସୁଫଳ ସମାଜର ନିମ୍ନତମ ସ୍ତରରେ ପହଂଚିବା ଆବଶ୍ୟକ ବୋଲି ସୋଆ କୁଳପତି ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ର କହିଛନ୍ତି ।

ଭାରତରେ ୨୦୨୨ ମସିହାରେ ୧୦୦ ମିଲିୟନ୍ ସ୍ମାର୍ଟଫୋନ୍ ବିକ୍ରି ହେବ ବୋଲି ଆକଳନ କରାଯାଉଥିବା ବେଳେ ଦେଶର ୩୫୦ ମିଲିୟନ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୮ ପ୍ରତିଶତଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ଯେଉଁମାନେ ଅନ୍‌ଲାଇନ୍ ଶିକ୍ଷାଦାନରେ ଯୋଗ ଦେଇପାରିଛନ୍ତି ।

ଜ୍ଞାନ, ଦକ୍ଷତା, କାର୍ଯ୍ୟକାରିତା ଏବଂ ସମୟାନୁବର୍ତିତା ସମ୍ପର୍କରେ ଗୁରୁତ୍ୱ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଓ କଠିନ ପରିଶ୍ରମ ସଫଳତା ଆଣିପାରେ । ସୁମା ରିୟଲ୍ ମିଡିଆ ଦ୍ୱାରା ଗୁରୁବାର ଆୟୋଜିତ ଡିଜିଟାଲ୍ ଡେ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ ।

“ଏବର ସମୟ ବଦଳିଛି । ଡିଜିଟାଲ୍ ମାଧ୍ୟମରେ ଖବର ଅତିଶୀଘ୍ର ଲୋକଙ୍କ ପାଖରେ ପହଂଚି ପାରୁଛି । ତୃଣମୂଳ ସ୍ତରରେ ଡିଜିଟାଲ୍ ପହଂଚିବା ଦରକାର” ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଆମେରିକା ପରେ ଭାରତରେ ସର୍ବାଧିକ ଲୋକ ଇନ୍‌ଟରନେଟ୍ ବ୍ରାଉଜିଂ କରୁଛନ୍ତି ଏବଂ ଅଧିକ ସମୟ ଇନ୍‌ଟରନେଟ୍‌ରେ ବିତାଉଛନ୍ତି । ତେଣୁ ଏ ଦିଗରେ ଦେଶର ଭବିଷ୍ୟତ ଆଗକୁ ଉଜ୍ୱଳ ରହିଛି । ଟେକ୍ନୋଲୋଜିର ଅଭିବୃଦ୍ଧି ସବୁବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ହେବା ଦରକାର ବୋଲି ସେ କହିଥିଲେ ।

ସେହିପରି ଏସ୍‌ଆର୍‌ଏମ୍ ସିଇଓ ସୁନୀଲ୍ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରମେୟ ଓ ନ୍ୟୁଜ-୭ କିଭଳି ଡିଜିଟାଲି ସାରା ବିଶ୍ୱରେ ପହଂଚିପାରିଛି ସେ ବିଷୟରେ କହିଥିଲେ । କେବଳ ରାଜ୍ୟ ନୁହେଁ କି ଦେଶ ନୁହେଁ, ଆମେରିକା ଓ ୟୁକେ ଭଳି ବିକାଶଶୀଳ ଦେଶରେ ମଧ୍ୟ ପ୍ରମେୟ ଓ ନ୍ୟୁଜ-୭ ଡିଜିଟାଲ୍ ମିଡିଆର ପାଠକ ରହିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଅଳ୍ପ ସମୟ ମଧ୍ୟରେ ଏସ୍‌ଆର୍‌ଏମ୍ ନିଜକୁ ପ୍ରମାଣିତ କରିବା ସହିତ ଗଣମାଧ୍ୟମ କ୍ଷେତ୍ରରେ ଏକ ପରିଚୟ ସୃଷ୍ଟି କରିପାରିଛି । ପ୍ରତି ମାସରେ ୨.୫ କୋଟି ଆଇପି ଭିଜିଟ୍ ହେଉଛି । ଆଗକୁ ୫ଜି ଆସୁଥିବାରୁ ଏହା ଆମ ପାଇଁ ସୁବିଧା ହେବ । ଆମେ ଅଧିକ ଲୋକଙ୍କ ପାଖରେ ପହଂଚିବା ପାଇଁ ଏହାକୁ ବ୍ୟବହାର କରିପାରିବୁ ବୋଲି ସିଇଓ କହିଥିଲେ ।

ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ଉତ୍ସବରେ ଯୋଗ ଦେଇ ଖବର କାଗଜ, ଟିଭି ଓ ଡିଜିଟାଲ୍ ଗଣମାଧ୍ୟମରେ ସମ୍ବାଦ ଉପସ୍ଥାପନ କରିବାର ଶୈଳୀ ଉପରେ ଗୁରୁତ୍ୱ ଦେଇଥିଲେ । ୩ଟି ମାଧ୍ୟମର ଉପସ୍ଥାପନା ଶୈଳୀ ଭିନ୍ନ । ଡିଜିଟାଲ୍ ମିଡିଆର ଲେଖା ଶୈଳୀ ମଜାଳିଆ ଓ ତଥ୍ୟଭିତିକ ରହିଲେ ଆମେ ପାଠକଙ୍କ ପାଖରେ ଆଦୃତ ହୋଇପାରିବା ବୋଲି ଶ୍ରୀ ସେଠୀ କହିଥିଲେ ।

ପ୍ରମେୟ ଓ ନ୍ୟୁଜ-୭ର ସେଲ୍ସ ଆଣ୍ଡ ମାର୍କେଟିଙ୍ଗ ଗ୍ରୁପ୍ ନିର୍ଦ୍ଦେଶକ ହିମାଂଶୁ ହୋତା ଉତ୍ସବରେ ଯୋଗ ଦେଇ ଡିଜିଟାଲ୍ ମିଡିଆରେ ତ୍ୱରିତ ପହଂଚ ସମ୍ପର୍କରେ ଆଲୋଚନା କରିବା ସହିତ ଗଣମାଧ୍ୟମର ସବୁଠାରୁ ବଡ ଅସ୍ତ୍ର ସମୟାନୁବର୍ତିତା ସମ୍ପର୍କରେ ଆଲୋଚନା କରିଥିଲେ । ତା’ ସହିତ ଡିଜିଟାଲ୍ ମିଡିଆର ବ୍ୟବସାୟିକ ଦିଗ ଉପରେ ଆଲୋକପାତ କରି ଖବର ଲେଖିବାର ଶୈଳୀ ଓ ପାଠକଙ୍କୁ ଆକର୍ଷିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଶ୍ରୀ ହୋତା । ଖବର କାଗଜ ଓ ଟିଭି ସବୁବର୍ଗର ଲୋକଙ୍କ ପାଇଁ ହୋଇଥିବା ବେଳେ ଡିଜିଟାଲ୍ ମିଡିଆ ନିର୍ଦ୍ଦିଷ୍ଟ ବର୍ଗଙ୍କ ମଧ୍ୟରେ ଅଧିକ ଆଦୃତ ହୋଇପାରିଛି । ତେଣୁ ଡିଜିଟାଲ୍ ମିଡିଆ ଅଧିକ ବ୍ୟକ୍ତିଗତ । ଏହାର ପାଠକ ଅସୀମିତ । ତେଣୁ ଡିଜିଟାଲ୍ ମିଡିଆର ବିଷୟବସ୍ତୁ ଗୁରୁତ୍ୱପୂର୍ଣ୍ଣ । ପାଠକମାନଙ୍କୁ ଆକର୍ଷିତ କରିବା ପାଇଁ ସଠିକ ବିଷୟବସ୍ତୁ ଉପରେ ଧ୍ୟାନ ଦେବା ଆବଶ୍ୟକ ଯାହା ପରବର୍ତୀ ସମୟରେ ରାଜସ୍ୱ ଆଣିପାରିବ ବୋଲି ସେ କହିଥିଲେ ।

ଏସ୍‌ଆର୍‌ଏମ୍ ଡିଜିଟାଲ୍ ଦିବସ ଅବସରରେ ପ୍ରମେୟ ଓ ନ୍ୟୁଜ-୭ ଡିଜିଟାଲ୍ ୱିଙ୍ଗ୍‌ର କନ୍‌ସଲଟିଙ୍ଗ ଏଡିଟର ସୁବ୍ରତ ଦାସ, ନ୍ୟୁଜ-୭ ଡିଜିଟାଲ୍ ହେଡ୍ ଅମରେଶ ଦାସ, ପ୍ରମେୟ ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ନ୍ୟୁଜ-୭ ସେଲ୍‌ସ ହେଡ୍ ସିଦ୍ଧାର୍ଥ ରାୟ ଓ ନ୍ୟୁଜ-୭ ଡିଜିଟାଲ୍ ଟେକ୍ନିକାଲ୍ ପରାମର୍ଶଦାତା ଯୁବାନଶ୍ୱ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *