ବାଲିଯାତ୍ରା ହେବନି ଏବର୍ଷ

ଐତିହାସିକ ବାଲିଯାତ୍ରାକୁ ଲାଗିଲା କୋରୋନା ଗ୍ରହଣ
କଟକ: ପ୍ରାଣଘାତୀ କୋରୋନା ପାଇଁ ରାଜ୍ୟରେ ଫିକା ପଡ଼ିଛି ସବୁ ପର୍ବପର୍ବାଣୀ । ନିରାଡମ୍ବର ଭାବେ ଦୁର୍ଗାପୂଜା ଶେଷ ହୋଇଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ବହୁ ପ୍ରତିକ୍ଷୀତ ନାଗାର୍ଜୁନ ବେଶ ମଧ୍ୟ ଦେଖିପାରିବେ ନାହିଁ ଭକ୍ତ । ତେବେ ଏଭଳି ପରିସ୍ଥିତିରେ ଐତିହାସିକ କଟକ ବାଲିଯାତ୍ରା ଉପରେ ଲାଗଛି କୋରୋନା ଗ୍ରହଣ । ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦଶହରା ଉପରେ କୋରୋନା ମାଡ଼ ପଡ଼ିଥିବା ବେଳେ ଶହ ଶହ ବର୍ଷର ପରମ୍ପରାରେ କୋରୋନା ଲଗାଇଛି ବ୍ରେକ୍ । ମହାମାରୀ ପାଇଁ ଚଳିତବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା । କୋଭିଡ୍ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି । ଏଥିସହ ସାମୂହିକ ବୋଇତବନ୍ଦାଣ ଉପରେ ମଧ୍ୟରେ ରୋକ ଲଗାଇଛି ପ୍ରଶାସନ ।

ମହାନଦୀ କୂଳରେ ଅନୁଷ୍ଠିତ କଟକ ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗାମ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ଯଦିଓ ସରକାରୀ ସ୍ଥରରେ ଏନେଇ କୌଣସି ନିଷ୍ପତ୍ତ ନିଆଯାଇନାହିଁ । ବାଲିଯାତ୍ରାରେ ସବୁଠୁ ଅଧିକ ଜନସମାଗମ ହୁଏ । କୋରୋନାର ଏଭଳି ପରିସ୍ଥିତିକୁ ଦେଖି ଚଳିତ ବର୍ଷ ବାଲିଯାତ୍ରା ସମ୍ଭବ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଏବର୍ଷ ବଡ଼ଓଷା ଓ ପଞ୍ଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ, କଟକରେ ପ୍ରତିବର୍ଷ ପ୍ରସିଦ୍ଧ ବାଲିଯାତ୍ରା ବଡ଼ ଧୁମ୍ ଧାମରେ ପାଳିତ ହୋଇଥାଏ । ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ । ନାଚ ଗୀତରେ ମଞ୍ଚ ଦୁଲୁକେ ଆଉ ଏଇ ରଙ୍ଗମହଲ ମଞ୍ଚ ସାମ୍ନାରେ ଅଗଣିତ ଦର୍ଶକଙ୍କ ଗହଳି ଲାଗିଥାଏ । କୋଟି କୋଟି ଟଙ୍କାର କିଣାବିକା ମଧ୍ୟ ହୋଇଥାଏ । ମାତ୍ର କୋରୋନା ପାଇଁ ଏଥର ବାଲିଯାତ୍ରା ଉପରେ କଟକଣା ଜାରି କରାଯାଇଛି ।

ବାଲିଯାତ୍ରା ବନ୍ଦ ଫଳରେ ଓଡ଼ିଶାବାସୀଙ୍କ ମନ ଦୁଃଖ ହେଲେ ମଧ୍ୟ ବାଲିଯାତ୍ରାରେ ବିଭିନ୍ନ ସ୍ଥାନରୁ ଦୋକାନୀ ଆସିବା ସହ ଏହା ବନ୍ଦ ହେଲେ କୋଟି କୋଟି ଟଙ୍କାର ବ୍ୟବସାୟରେ କ୍ଷତି ହେବ । ମାତ୍ର କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିରେ ସଭିଁଙ୍କ ସହମତି ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *