ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ

ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଯୋଗୁଁ ୮ଜଣ ଆହତ ହୋଇଛନ୍ତି ଏବଂ ସେଥିରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ପେଟ୍ରୋଲ ପମ୍ପ୍ ଅଗ୍ନିକାଣ୍ଡରେ ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପେଟ୍ରୋଲ ପମ୍ପରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧିନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ହୁତ୍ ହୁତ୍ ହୋଇ ନିଆଁ ଜଳୁଥିଲା । ଟାଙ୍କିରେ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା । ଆଉ ହୁ ହୁ ହୋଇ ଆକାଶ ଉଚ୍ଚାରେ ଉଠିଥିଲା ନିଆଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଲୋକେ ଭୟରେ ଏଣେତେଣେ ଦୌଡିବାରେ ଲାଗିଥିଲେ । ଗାଡିରେ ତେଲ ପକାଇବାକୁ ଆସିଥିବା ଲୋକେ ନିଜ ଗାଡିକୁ ଫିଙ୍ଗି ଭୟରେ ଜୀବନ ବଞ୍ଚାଇବାକୁ ବିକଳରେ ଦୌଡିଥିଲେ । ପେଟ୍ରୋଲ ପମ୍ପ ନିକଟରେ ବହୁ ସଂଖ୍ୟାରେ ଗାଡି ଭାଙ୍ଗିରୁଜି ପଡିଥିଲା । ଏପରିକି ଆଖପାଖର ଘରଦ୍ୱାର ସବୁ ଥରି ଉଠିଥିଲା ।

ଘଟଣାସ୍ଥଳରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ, ଡିସିପି ଉମାଶଙ୍କର ଦାସ ପ୍ରମୁଖ ପହଞ୍ଚିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଛି ବୋଲି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *