ସୋଆ ପରିଚାଳିତ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ

ଭୁବନେଶ୍ୱର, ୨୮/୦୪: ଗୁରୁବାର ଏଠାରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି । ରାଜ୍ୟର ଏହି ପ୍ରଥମ ବେସରକାରୀ ପଶୁ ଚିକିତ୍ସାଳୟ କୃଷି ଏବଂ କୃଷକ ସଶକ୍ତିକରଣ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ ସାହୁ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ।

ଭୁବନେଶ୍ୱର ଉପକଣ୍ଠ ଶାମ୍‌ପୁର ଠାରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟରେ ସବୁ ପ୍ରକାର ପଶୁପକ୍ଷୀମାନଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି ।

ଏଥିରେ ଗାଏନାକୋଲୋଜି, ସର୍ଜରୀ ଓ ମେଡିସିନ୍ ଭଳି ବିଭାଗର ବ୍ୟବସ୍ଥା ରହିଛି । ଗୃହପାଳିତ ପଶୁ ସମେତ ରାସ୍ତାରେ ବୁଲୁଥିବା ପଶୁମାନଙ୍କର ଏଠାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସୋଆ ଭେଟେରିନାରୀ କଲେଜର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ।

ଏହି ଚିକିତ୍ସାଳୟରେ ଫାର୍ମାସୀ, ଲାବୋରେଟୋରୀ ଏବଂ ଅପରେସନ୍ ଥିଏଟର୍‌ର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଏହି ଚିକିତ୍ସାଳୟରେ ୨୪ ଘଂଟା ସମସ୍ତ ସେବା ଉପଲବ୍ଧ ରହିବ ବୋଲି କହିଛନ୍ତି ଏହି ଚିକିତ୍ସାଳୟାର ନିର୍ଦ୍ଦେଶକ ଡଃ ଡି.ଏନ୍‌. ପଲ୍ । ନିର୍ଦ୍ଦେଶକଙ୍କ ସମେତ ୩ ଜଣ ପ୍ରଫେସର ମଧ୍ୟ ଏଠାରେ କାର୍ଯ୍ୟରତ ରହିବେ ।

ତେବେ ଏହି ଚିକିତ୍ସାଳୟର ମୁଖ୍ୟ ଆକର୍ଷଣ ହେଉଛି ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ପା । ଏହି ସ୍ପାରେ ପଶୁମାନଙ୍କୁ ଗାଧୋଇଦେବା ସହ ତାଙ୍କର ହେୟାର କଟିଂ, ନେଲ୍ କଟିଂ ଏବଂ ଅନ୍ୟାନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସୁବିଧା ଉପଲବ୍ଧ ରହିଛି ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ସମୟର ସବୁଠାରୁ ଆକର୍ଷଣ ଥିଲା ଗୋଟିଏ ମାଙ୍କଡ । ଉଦ୍‌ଘାଟନ ପୂର୍ବରୁ ହିଁ ମାଙ୍କଡଟି ଚିକିତ୍ସାଳୟରେ ଘୂରି ବୁଲୁଥିଲା । ତା’ର କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଏବଂ ଉଦ୍‌ଘାଟନୀ ପରେ ପ୍ରଥମ ରୋଗୀ ଭାବେ ତା’ର ଚିକିତ୍ସା କରାଯିବ ବୋଲି ପ୍ରଫେସର ପଟ୍ଟନାୟକ କହିଥିଲେ ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଚିକିତ୍ସାଳୟର ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *