ଭୁଲିଗଲେ ଜନସେବା: ଓଲିଉଡ ଅଭିନେତା

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଅଭିନୟ କରିପାରୁଥିବାରୁ ସେମାନଙ୍କର ନାଁ ତ ଅଭିନେତା ଅଭିନେତ୍ରୀ । କେବଳ ରୁପେଲି ପରଦା ଉପରେ ନୁହେଁ ବରଂ ସେମାନେ ରିଅଲ ଲାଇଫରେ ବି ନିଖୁଣ ଅଭିନୟ କରିପାରନ୍ତି । ନିର୍ବାଚନ ସମୟରେ ଜନସେବା ବ୍ରତର ଅଭିନୟ କରି ଟିକଟ ପାଇଁ ସାମଲି ହୁଅନ୍ତି ରାଜନୈତିକ ଦଳରେ, ଟିକଟ ପାଇଲେ ଜିତାପଟ ପାଇଁ ଘରଘର ବୁଲନ୍ତି, ଜିତିଗଲେ ଜନତାଙ୍କୁ ଭୁଲି ଯାଆନ୍ତି, ନ ଜିତିଲେ ବି ଜନତାଙ୍କୁ ଭୁଲି ଯାଆନ୍ତି । ଜନସେବା କଥା ପଚାରେ କିଏ । ପୂର୍ବରୁ ଏହି ଉକ୍ତିର ସାମାନ୍ୟ ଉଦାହରଣ ମିଳିଥିଲେ ବି ଚଳିତ ୨୦୧୪ ନିର୍ବାଚନ ପରେ ଏହା ସ୍ପଷ୍ଟ ରୂପେ ପ୍ରମାଣିତ ହୋଇସାରିଛି । ନିର୍ବାଚନ ସମୟରେ ଓଲିଉଡ ଟଲିଉଡର ମାଳମାଳ ନେତା ଜନସେବାକୁ ତାଙ୍କର ବ୍ରତ କରିବେ ବୋଲି ଶପଥ ନେଇ ସାମିଲ ହୋଇଥିଲେ ବିଭିନ୍ନ ରାଜନୈତିକ ଦଳରେ, ହେଲେ ନିର୍ବାଚନ ପରେ କୌଣସି ବି ଗୋଟିଏ ଜନସେବାରେ ଏବେ ସେମାନଙ୍କର ଦର୍ଶନ ମିଳୁ ନାହିଁ । ବୋଧ ହୁଏ ସେମାନେ ଭୁଲିଯାଇଛନ୍ତି ସେମାନଙ୍କର କଥାକୁ । ପୁଣି ମନେ ପଡିବ ପରବର୍ତ୍ତୀ ନିର୍ବାଚନ ସମୟରେ ।
୨୦୧୪ ମସିହା ନିର୍ବାଚନ ସମୟର, ଅଭିନେତା ଅଭିନେତ୍ରୀ, ସେମାନେ ଓଲିଉଡର ହୁଅନ୍ତୁ କି ଟଲିଉଡର ହୁଅନ୍ତୁ ହଠାତ ସେମାନଙ୍କର ମନ ଆକାଶରେ ସମାଜସେବାର ସୂର୍ଯ୍ୟୋଦୟ ହେଲା । କିଛି ନେତା ନବୀନ ନିବାସ ଆଡେ ମୁହାଁଇଲେ ତ କିଛି ନେତା ମୋଦି ମୁଖା ପିନ୍ଧି ବିଜେପି କାର୍ଯ୍ୟାଳୟ ଓ ଆଉ କିଛି ନେତା ଯୁବ ନେତା ରାହୁଲଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜ ସେବା ପାଇଁ ଯୋଗଦେଲେ ଜାତୀୟ କଂଗ୍ରେସରେ । ଆମ ନେତା ମାନେ ବି ସେହିମାନଙ୍କୁ ଅତି ଆଦରରେ ପାଛୋଟି ନେଲେ । ଅଭିନେତାର ନେତା ପାଲଟିଥିବା ସେହି କଳାକାର ମାନେ ନିଜର କଳାକୁମଧ୍ୟ ବେଶ ସଠିକ ଭାବେ ଉପସ୍ଥାପନ କରି ସମାଜସେବାରେ ବ୍ରତୀ ହେବାର ଦ୍ୱାହି ଦେଲେ । କିନ୍ତୁ ଯେତେ ବେଳେ ସମାଜକୁ ସେମାନଙ୍କର ଆବଶ୍ୟକତା ପଡିଲା ସେତେ ବେଳେ ଏହି ସମାଜସେବୀ ମାନଙ୍କୁ ଆଉ ଦେଖିବାକୁ ମିଳିଲା ନାହିଁ । ଶାସକ ଦଳ ବିଜେଡିରେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜ ସେବା ପାଇଁ ଆକାଶ ଦାସ ନାୟକ, ମିହିର ଦାସ, ମହେଶ୍ୱତା ରାୟ, ଅରିନ୍ଦମ ଦାସ, ପପୁ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀ, ଲକ୍ଷ୍ମୀକାନ୍ତ ପାଲିତ, ତୃପ୍ତି ଦାସ, ବିଦୁସ୍ମିତା, ଅନୁଭବ ମହାନ୍ତି ପ୍ରମୁଖ ଯୋଗଦେଇଦେଲେ । କିଛି ଅଭିନେତା ଯୋଗ ନଦେଇ ମଧ୍ୟ ବିଜେଡି ପ୍ରଚାରର ମଙ୍ଗ ଧରିଲେ । ପୂର୍ବରୁ ମୁନା ଖାଁ, ସିଦ୍ଧାନ୍ତ ମହାପାତ୍ର ଏଥିରେ ଯୋଗଦେଇସାରିଥିଲେ । ବିଜେପିରେ ପିଙ୍କି ପ୍ରଧାନ, ପିଣ୍ଟୁ ନନ୍ଦ ପ୍ରମୁଖ ଯୋଗଦେଇଥିବା ବେଳେ କଂଗ୍ରେସରେ ଓଲିଉଡର ଭେଟେରାନ ବିଜୟ ମହାନ୍ତି ଓ ଅପରାଜିତା ମହାନ୍ତି ପ୍ରମୁଖ ଯୋଗଦେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ମଧ୍ୟ ହେଲେ । ରାଜନୈତିକ ଦଳରେ ଯୋଗଦେଇଥିବା ଏହି କଳାକାର ମାନଙ୍କ ମଧ୍ୟରୁ କିଛି ଟିକଟ ପାଇ ନିର୍ବାଚନ ମଧ୍ୟ ଲଢ଼ିଲେ, ଅନ୍ୟ କିଛି ପ୍ରଚାରରେ ସାମିଲ ହେଲେ । ସେତିକିରେ ସେମାନଙ୍କର ସମାଜସେବା ଶେଷ ହୋଇଗଲା ।
ରାଜ୍ୟରେ ସମ୍ବଲପୁର ଅଂଚଳରେ ମହାମାରୀ ଜଣ୍ଡିସ, ଉପାନ୍ତ ମାଲକାନାଗିରି ଅଂଚଳରେ ଆନ୍ଥ୍ରାକ୍ସ ପରି ରୋଗ ବ୍ୟାପୁଥିବା ବେଳେ ଜନସଚେତନତା ପାଇଁ ଏପରି ନେତା ଓ ଅଭିନେତା ମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ଦକ୍ଷ ଡାକ୍ତର ସେମାନଙ୍କୁ ବୁଝାଇଲେ ସାଧାରଣ ଜନତା ବୁଝି ନପାରୂୁଥିବା ସେମାନଙ୍କର ପ୍ରିୟ ଅଭିନେତା ଅଭିନେତ୍ରୀ ସେମାନଙ୍କୁ ବୁଝାଇ ଦେଲେ ସେମାନେ ସୁଧାର ଗାଇ ପରି ବୁଝି ଯାଆନ୍ତି । କିନ୍ତୁ ଏପରି ବିପର୍ଯ୍ୟୟ ସମୟରେ ସେମାନଙ୍କର ଗୋଟିଏ ବି ସ୍ଥାନରେ ଦେଖା ମିଳିବା ତ ଦୁରର କଥା ସ୍ୱେଚ୍ଛାକୃତ ଭାବେ ଗଣମାଧ୍ୟମରେ ଜନସାଧାରଣଙ୍କୁ ସଚେତନ ହେବାକୁ ନିବେଦନଟିଏ ମଧ୍ୟ କରିବାକୁ ଭୁଲି ଯାଇଥିଲେ । ତେବେ ଏହି ନେତା ମାନଙ୍କର ନିର୍ବାଚନ ସମୟରେ ସମାଜ ସେବାର ସେହି ବ୍ରତ କଣ କେବଳ ରୂପେଲି ପରଦାର ସେହି ଅଭିନୟ ଥିଲାକି ବୋଲି ଜନସାଧରଣ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି ।

Spread the love

Leave a Reply

Your email address will not be published. Required fields are marked *