ଭୀଷଣ ସାମୁଦ୍ରିକ ଝଡର ରୂପ ନେଲା ‘ଆମ୍ଫାନ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି । ଦକ୍ଷିଣ ପାରାଦୀପଠାରୁ ଏହା ୯୮୦ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ଏଠାରେ ପବନର ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସଂଧ୍ୟା ସମୟରେ ଏହି ଘୂର୍ଣ୍ଣିଝଡ଼ ଏହାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି ।

ଘୂର୍ଣ୍ଣିଝଡ ଏହାର ଦିଗ ପରିବର୍ତ୍ତନ କରିବା ପରେ ଉତ୍ତର ପୂର୍ବ ଦିଗକୁ ଗତି କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ମଡେଲ ସୂଚନା ଦେଉଛି । ଯଦି ପାଣିପାଗ ବିଭାଗର ମଡେଲ ଅନୁସାରେ ଆମ୍ଫାନ ଗତିକରେ ତେବେ ଏହା ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବଙ୍ଗଳା ଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଗତିପଥ ପରିବର୍ତ୍ତନ ପରେ ଏହି ବାତ୍ୟା କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହୋଇଯିବ । ମାତ୍ର ଆମ୍ଫାନ ପ୍ରଭାବ ଓଡ଼ିଶାରେ ଦେଖାଦେଇଥିବା ଫନିର ତୁଳନାରେ କମ ରହିବ ବୋଲି ଅନୁମାନ କରାଯାଇଛି । ବିଶେଷ କରି ଏଥିରେ ରାଜ୍ୟର ୧୨ଟି ଜିଲ୍ଲା ପ୍ରଭାବିତ ହେବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

ବାତ୍ୟାର ମୁକାବିଲା ପାଇଁ ରାଜ୍ୟସରକାର ନିଜର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରଭାବିତ ହେବାକୁ ଥିବା ଅଂଚଳରେ ଓଡ୍ରାଫ୍ ଟିମ୍ ପହଞ୍ଚିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦୯୨ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ଆବଶ୍ୟକ ପଡିଲେ ୧୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର ଯୋଜନା ମଧ୍ୟ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *