କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ଜନ୍ମେଜୟ

ଭୁବନେଶ୍ୱର,୧/୪/୨୦୧୯: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୧୪ ସାଧାରଣ ନିର୍ବାଚନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କା ଓ ତାଙ୍କର ହଜାର ହଜାର ସମର୍ଥକ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ଲେଙ୍କାଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ଯାଜପୁର ଜିଲ୍ଲା ସହ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଏହି ଅବସରରେ ଶ୍ରୀ ଲେଙ୍କା କହିଥିଲେ ଯେ ମୁଁ ଦୀର୍ଘବର୍ଷ ଧରି କଂଗ୍ରେସରେ ଥାଇ ବହୁ ପଦପଦବୀରେ ରହିଥିଲି । କିନ୍ତୁ କଂଗ୍ରେସରେ ଯାହା କୁହାଯାଏ, ତାକୁ କଦାପି ପାଳନ କରାଯାଏ ନାହିଁ । ୪ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବ ବୋଲି ଯେଉଁ ଦଳ କହୁଥିଲା, ଆଜି ଆଉ ୪ଦିନ ବାକି ଥିବାବେଳେ ମଧ୍ୟ ସେହି ଦଳ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିପାରି ନାହିଁ । ତେଣୁ କଂଗ୍ରେସରେ କହିବା ଓ କରିବା ମଧ୍ୟରେ ବହୁତ ତାରତମ୍ୟ ରହିଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ମୋତେ ବହୁତ ଆକର୍ଷିତ କରିଛି । ତେଣୁ ମୁଁ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ, ରଜନୀକାନ୍ତ ସିଂହ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *