ପାଟକୁରା ତାରିଖ ପରିବର୍ତନ ଦାବୀ ବିଜେଡିର ପରାଜୟ ଡରର ପ୍ରତିଫଳନ

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧: ରାଜ୍ୟର ତୃତୀୟ ପ୍ରର୍ଯ୍ୟାୟ ନିର୍ବାଚନରେ ୧୫ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନେକ ବୁଥରେ ଶାସକ ବିଜେଡି ଦଳ ଦ୍ୱାରା ହୋଇଥିବା ବୁଥ ଜବରଦଖଲ, ସମ୍ପୂର୍ଣ ନିର୍ବାଚନ ପକ୍ରିୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ହିଂସା, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା, ପାଟକୁରା ନିର୍ବାଚନ ତାରିଖ ତଥା ସମ୍ଭାବ୍ୟ ବାତ୍ୟା କାରଣରୁ ଆଚରଣ ବିଧି ଉଠିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଛନ୍ତି ।

ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ତୃତୀୟ ପ୍ରର୍ଯ୍ୟାୟରେ ଅନୁଷ୍ଠିତ ୧୫ଟି ବିଧାନସଭା ମଧ୍ୟରୁ ଅନେକ ବୁଥରେ ଶାସକ ଦଳ ତରଫରୁ ବୁଥ୍ ଜବରଦଖଲ ଓ ଅନ୍ୟାନ୍ୟ ଅନିୟମିତତାର ପ୍ରମାଣ ଦଳ ତରଫରୁ ନିର୍ବାଚନ କମିଶନଙ୍କ ପାଖରେ ଉପସ୍ଥାପିତ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ବ୍ୟକ୍ତି ଓ ରାଜ୍ୟରେ ଶାସକ ବିଜେଡିକୁ ସୁହାଇବା ଭଳି ସେ କାମ କରୁଥିବା ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦଳ ପ୍ରତିବାଦ କରିଥିବା ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ସୁରେନ୍ଦ୍ର କୁମାର କିଛି ସଂସ୍ଥାକୁ ଲଗାଇ କିଛି ବୁଥରେ ଆଉଥରେ ମତଦାନ କରାଇବାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି । ବିଶେଷ ଭାବରେ ବରୀ ବିଧାନସଭାର ୧୨ଟି ବୁଥରେ ପୁଣିଥରେ ନିର୍ବାଚନ କରିବାପାଇଁ ସୁରେନ୍ଦ୍ର କୁମାରଙ୍କ ଷଡଯନ୍ତ୍ରର ସୂଚନା ନିର୍ବାଚନ କମିଶନକୁ ଜଣାଇବା ପରେ ଏହାର ସୁବିଚାରର ଆଶ୍ୱାସନା ନିର୍ବାଚନ କମିଶନ ଦେଇଥିବା କଥା ଶ୍ରୀ ପ୍ରଧାନ କହିଛନ୍ତି ।

ପାଟକୁରା ବିଧାନସଭା ନିର୍ବାଚନ ତାରିଖକୁ ସମ୍ଭାବ୍ୟ ବାତ୍ୟା କାରଣରୁ ଘୁଚାଂଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବୀକୁ ଦଳ ତରଫରୁ ଦୃଢ ବିରୋଧ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ୧୫ ଦିନ ପରେ ନିର୍ବାଚନ ପଡୁଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କ ଦାବୀପତ୍ରରେ ବାତ୍ୟାର ଲ୍ୟାଣ୍ଡଫଲ୍ ରାଜନଗରରେ ହେବ ବୋଲି ଦର୍ଶାଇଛନ୍ତି । ମାତ୍ର ବହୁ ଗଣମାଧ୍ୟମରେ ଏହା ରାଜନଗର ନୁହେଁ ଅନ୍ୟ ସ୍ଥାନରେ ହେବ ବୋଲି ଗଣମାଧ୍ୟମ ସୂଚନା ଦେଇଛନ୍ତି । ବାତ୍ୟା ପଶ୍ଚିମବଙ୍ଗକୁ ଯିବାର ମଧ୍ୟ ସମ୍ଭାବନା ରହିଛି । ଷଷ୍ଠ ଓ ଓ ସପ୍ତମ ପ୍ରର୍ଯ୍ୟାୟରେ ଏହି ରାଜ୍ୟରେ ମଧ୍ୟ ନିର୍ବାଚନ ହେଉଛି । ତେଣୁ ପାଟକୁରା ନିର୍ବାଚନ ନେଇ ନିର୍ବାଚନ କମିଶନ ଉଚିତ୍ ସମୟରେ ସଠିକ୍ ନିଷ୍ପତି ନେବା ପାଇଁ ଆଶ୍ୱାସନା ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଜନିତ କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଛି । ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧି କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ମାତ୍ର ଆଚରଣ ବିଧି ହଟିବା ଆଳରେ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ନିର୍ବାଚନ ସରିଛି । ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି । ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡିଶାକୁ ଲୁଟ୍ କରିଛନ୍ତି, ଆଉ ଓଡିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ ।

ରାଜ୍ୟରେ ପାଟକୁରା ସମେତ ଅଧିକାଂଶ ବିଧାନସଭା ଆସନ ଜିତିବା ନେଇ ମୁଖ୍ୟମନ୍ତ୍ରୀଙ୍କର ଦୃଢ ବକ୍ତବ୍ୟ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ପାଟକୁରା ନିର୍ବାଚନକୁ ଡରି ଏହାର ତାରିଖ ଘୁଚାଂଇବା ପାଇଁ କାହିଁକି ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *