ଘନଉଛି ବିପଦ, ପୁଣି ତାଲାବନ୍ଦୀ କରିବାକୁ ଚିନ୍ତା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ପ୍ରତି ଅଧିକ ବିପଦ ଘନେଇବାରେ ଲାଗିଲାଣି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କଲାଣି । ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ ଛୁଇଁଲାଣି । ୫୯ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଥିଲା । ହେଲେ ମାତ୍ର ୩୭ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ୫୧୨୮ରେ ପହଞ୍ଚିଛି । ରାଜ୍ୟରେ ଆଗକୁ ଯଦି ଏପରି ଅବସ୍ଥା ଜାରି ରହେ, ତାହେଲେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ ।

ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ପାଇଁ ଆଉ ଏକ ସମସ୍ୟା ବିପଦ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ପୂର୍ବରୁ ଲଗାତାର ଲକଡାଉନ୍ ଓ କ୍ୱାରେଣ୍ଟାଇନ୍ ନିୟମ କଡ଼ାକଡ଼ି ପାଳନ ଫଳରେ, ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣ ଭିତରେ ରହିଥିଲା । ହେଲେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରୁ ଅଧିକରୁ ଅଧିକ କରୋନା ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ଫଳରେ ଏହା ଗୋଷ୍ଠୀ ସଂକ୍ରମଣର ସୂଚନା ଦେଉଛି । ଏହି ସ୍ଥାନୀୟ ଲୋକଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ମଧ୍ୟ ସେମାନେ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଗତ ମାସ ୨୭ ତାରିଖରୁ ଏପର୍ଯ୍ୟନ୍ତ ମାସେ ଭିତରେ ୪୪୬ଜଣ ସ୍ଥାନୀୟ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି ।

ଗତକାଲି ୨୧ ଜିଲ୍ଲାରୁ ୨୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୦ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୮ କ୍ୱାରେଣ୍ଟାଇନ ସେଣ୍ଟରର । ଏହି ୨୧୮ ପଜିଟିଭିଙ୍କ ମଧ୍ୟରେ ୭ ଜଣ ଏନଡିଆରଏଫ୍ କର୍ମଚାରୀ ଅଛନ୍ତି । ସେମାନେ ଆମ୍ଫାନର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।

ରାଜ୍ୟରେ ସରକାର ଗୋଷ୍ଠୀ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଧିରେ ଧିରେ ଏହା ତାଙ୍କ ହାତମୁଠାରୁ ଖସିଯାଉଥିବା ଜଣାପଡୁଛି । ଏଣୁ ପୁଣି ଲକ୍ ଡାଉନକୁ କଡ଼ାକଡି କରିବା ସହ ଆସନ୍ତା ଜୁଲାଇ ପହିଲାରୁ ଅତିକମରେ ସପ୍ତାହ ପାଇଁ ସଂପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରିବାକୁ ସରକାର ଚିନ୍ତା କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *