ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍ ଡାଉନ୍ ସୀମା

ଭୁବନେଶ୍ୱର: ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ ସମୟସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର । ରାଜ୍ୟରେ ବୃଦ୍ଧିପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଲକ୍ ଡାଉନ ସମୟସୀମାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏପରିକି ୩୦ ତାରିଖ ପର୍ଯ୍ୟନ୍ତ ବିମାନସେବା ଓ ରେଳସେବାକୁ ବନ୍ଦ ରଖିବାକୁ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କରୋନାର କରାଳ ରୂପରେ ବହୁ ବଡ ବଡ ଦେଶ ଧାରଶାୟୀ ହୋଇଯାଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର ଅର୍ଥନୀତି ଓ ମଣିଷ ଜୀବନ ଦୁଇଟି ମଧ୍ୟରୁ ଗୋଟିକୁ ବାଛିବାର ଥିଲା । ଏଣୁ ରାଜ୍ୟସରକାର ରାଜ୍ୟବାସୀଙ୍କ ଜୀବନକୁ ଶ୍ରେୟଷ୍କର ମଣି ଏହି ଲକ୍ ଡାଉନ ସୀମାକୁ ବଢ଼ାଇଥିବା ସେ କହିଛନ୍ତି ।
ସେହିପରି ରାଜ୍ୟରେ କୃଷି କାର୍ଯ୍ୟ ଜାରି ରହିବ ଏବଂ କୃଷି କ୍ଷେତ୍ରରେ ଲକ୍ ଡାଉନ୍ ପରି ନିୟମ ଲାଗୁ ହେବ ନାହିଁ । ଆସନ୍ତା ଜୁନ ୧୭ ତାରିଖ ପର୍ଯ୍ୟନ୍ତ ସେ ସ୍କୁଲକୁ ମଧ୍ୟ ବନ୍ଦ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ରାଜ୍ୟରେ ଏକଲକ୍ଷ କରୋନା ରାପିଡ ଟେଷ୍ଟିଂ ସୁବିଧା ଉପଲବ୍ଧ କରିବା ପାଇଁ ସେ ଚେଷ୍ଟା ଜାରି ରଖିଥିବା କହିଛନ୍ତି । ଏହା ଶତାବ୍ଦୀର ସବୁଠାରୁ ବଡ ଶତୃଭାବରେ ଦେଖା ଦେଇଥିବାରୁ ମିଳିତ ଭାବେ ଏହାର ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *