ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ମିଥ୍ୟା ତଥ୍ୟ ଉପରେ ଆଧାରିତ
ଭୁବନେଶ୍ୱର, ଅପ୍ରେଲ ୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ମିଛ ଛଡା କୌଣସି ପ୍ରସଙ୍ଗ ନଥିବାରୁ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରିବର୍ତନ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଅଭିଯାନ ସମ୍ପୂର୍ଣ୍ଣ ମିଛ ତଥ୍ୟ ଉପରେ ଆଧାରିତ । ଏଥର ହିଂସା ଓ ମିଛ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଆୟୁଧ ହୋଇଛି ବୋଲି ଓଡିଶାର ବିପଦ ବେଳେ ବିଜେପି ନେତାଙ୍କ ଅନୁପସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଓଡିଶାକୁ ବିପଦ ବେଳେ ଦିଲ୍ଲୀ ନେତାମାନେ କେଉଁଆଡେ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରୁଛନ୍ତି । ଏହାର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିପଦ ବେଳେ ବିଜେପି ଠିଆ ନହେବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସତ୍ୟର ଅପଳାପ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବରଗଡର ବିକାଶ ପାଇଁ ଯାଇଥିବା ବେଳେ ମହିଳା ମନ୍ତ୍ରୀଙ୍କ ଉପସ୍ଥିତିରେ କିଏ ତାଙ୍କୁ ଟେକା, ପଥର ମାରିଥିଲା? ଚକଡା ପୋକର ଶୀକାର ହୋଇ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରେ କେନ୍ଦ୍ର କୃଷି ମନ୍ତ୍ରୀ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଥିଲେ କେଉଁଠି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଏତଦବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ବିକାଶମୂଳକ କାମରେ ସାଙ୍ଗରେ ନେଇ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ରାଉରକେଲା, ତାଳଚେର, ଭୁବନେଶ୍ୱର ଆଦି ସ୍ଥାନରେ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି ନା ମିଛ କହୁଛନ୍ତି? ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନକ୍ସଲ ସମସ୍ୟାର ସମୀକ୍ଷା ପାଇଁ କୋରାପୁଟ ଯାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ କୋରାପୁଟର ନକ୍ସଲ ପ୍ରଭାବିତ ଅଂଚଳରେ ଗୋଟିଏ ରାତି ମଧ୍ୟ ବିତେଇନାହାନ୍ତି ।
ନିଜ ବିଭାଗର ବିକାଶ କାମ କରିବା ପାଇଁ କେଉଁ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ଆସିନାହାନ୍ତି ବୋଲି ସେ ପ୍ରଶ୍ନ କରିବା ସହ କହିଛନ୍ତି ଯେ ଖଣିଖାଦାନର ସମସ୍ୟା ବୁଝିବା ପାଇଁ ବିଭାଗୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବିଦ୍ୟୁତ୍ ବିଭାଗର କଥା ବୁଝିବା ପାଇଁ ପିୟୂଷ ଗୋଏଲ କିମ୍ବା ପରବର୍ତୀ ସମୟରେ ଆର.କେ ସିଂହ, ଉମା ଭାରତୀ, ନୀତିନ ଗଡକରୀ ଓଡିଶାକୁ ଆସିନଥିଲେ କି ?
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନବକଳେବର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ପିପିଲିରେ ସଭା କରିଥିଲା ବେଳେ ଏହି ସବୁ କଥାକୁ ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତିା ବିକାଶ ପାଇଁ ଏହି ସଭା ହୋଇଥିଲା, ରାଜନୀତି ପାଇଁ ନୁହେଁ । ସବ୍ କି ସାଥ୍ ସବ୍ କି ବିକାଶର ବିଜେପିର ପ୍ରତିବଦ୍ଧତା । ରାଜନୀତି ତା ବାଟରେ ହେଉ । ରାଜନୀତିରେ ଯେପରି ବିକାଶ ପେଶି ନହୋଇଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଓଡିଆ ଲୋକଙ୍କ ନିକଟରେ ଗତ ୧୯ ବର୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କାମ କରିଛନ୍ତି ଏବଂ ଯେଉଁ କାମ ହୋଇପାରିନାହିଁ, ଥରେ ବିଜେପିକୁ ବିଶେଷତଃ ନରେନ୍ଦ୍ର ମୋଦିଙ୍କୁ ଭରସା କରି ଆଶୀର୍ବାଦ କଲେ ୧୯ ବର୍ଷରେ ହୋଇନଥିବା କାମ ୫ ବର୍ଷରେ ୫ ଗୁଣା କାମ ବିଜେପି କରିବ ବୋଲି ନିବେଦନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଚତୁର୍ଥ ପର୍ଯ୍ୟାୟର ଉପକୂଳ ଅଂଚଳର ନିର୍ବାଚନ ଯୋର ଧରିଛି । ଗତକାଲି କେନ୍ଦ୍ରାପଡା ଓ ବାଲେଶ୍ୱର ଏବଂ ଅନ୍ୟ ଜନସଭାରେ ସ୍ପଷ୍ଟ ମୋଦି ଲହର ଦେଖାଯାଇଛି । ସେହିପରି ଓଡିଆ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରସା କରୁଥିବା ଶେଷ ତିନୋଟି ପର୍ଯ୍ୟାୟ ନିର୍ବାଚନରୁ ସ୍ପଷ୍ଟ ସୂଚନା ମିଳିଲାଣି । ଆସନ୍ତା ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଏହି ଭୋଟ ହେବ ବୋଲି କାହା ମନରେ ଦ୍ୱିମତ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ଦିନକାଳ ଶେଷ ହୋଇ ଆସିଲାଣି । ପ୍ରଜାତନ୍ତ୍ରିକ ଉପାୟରେ ଓଡିଆ ଲୋକମାନେ ଏ ନିର୍ବାଚନରେ ପରାଜୟ କରି ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବ ବୋଲି ଦୃଢ ବିଶ୍ୱାସର ସହ ଶ୍ରୀ ପ୍ରଧାନ କହିଛନ୍ତି ।

