ପ୍ରଦ୍ୟୁମ୍ନ ବଳ ସାଲିସ ବିହୀନ ରାଜନୀତିର ପ୍ରତୀକ: ନବୀନ

ସାମ୍ପ୍ରତିକ ସମୟରେ ପ୍ରଦ୍ୟୁମ୍ନ ବଳ ବିଚାରଧାରା ଓ ପରମ୍ପରା ପ୍ରାସଙ୍ଗିକ ହୋଇଛି
ଭୁବନେଶ୍ବର: ପ୍ରଦ୍ୟୁମ୍ନ ବଳ ଛାତ୍ର ଜୀବନରେ ରାଜନୀତି ଆରମ୍ଭ କରି ସମାଜ ସେବା, ସାମ୍ବାଦିକତାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମୂଲ୍ୟବୋଧକୁ ଜୀବନର ପ୍ରତିଟି କଷଟି ପଥରେ ପାଳନ କରିବା ତାଙ୍କର ଆଦର୍ଶ ଥିଲା, ଯାହାକୁ ସେ କେବେ ବି ଭୁଲି ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ରବିବାର ପ୍ରଗତିବାଦୀ ପରିସରରେ ଜନନାୟକ ପ୍ରଦ୍ୟୁମ୍ନ ବଳଙ୍କ ୮୮ତମ ଜନ୍ମ ଜୟନ୍ତୀ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବଳଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କହିଥିଲେ, ସାଲିସ ବିହୀନ ରାଜନୀତିର ପ୍ରତୀକ ହେଉଛନ୍ତି ଚିନ୍ତା ନାୟକ ପ୍ରଦ୍ୟୁମ୍ନ ବଳ । ତାଙ୍କ ଜୀବନରେ ସେ ସର୍ବଦା ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଉଥିଲେ । ସମାଜକୁ ପରିବର୍ତ୍ତନ କରିବା ଦିଗରେ ସାମ୍ବାଦିକତାର ଭୂମିକାକୁ ଅନୁଭବ କରି ସେ ପ୍ରଗତିବାଦୀ ଖବରକାଗଜ ପ୍ରତିଷ୍ଠା କରିଥିଲେ । ତାଙ୍କର ଏହି ଉଦ୍ୟମ ଆଜି ଏହାର କଳେବରକୁ ବୃଦ୍ଧି କରିଛି ।

ସମାଜର ଗରିବ ଅବହେଳିତଙ୍କୁ ସହାୟତା କରିବା ଲାଗି ସର୍ବଦା ତାଙ୍କର ଉଦ୍ୟମ ରହିଥିଲା । ସେହିପରି ପ୍ରଦ୍ୟୁମ୍ନ ବଳଙ୍କ ନୀତି ଆଦର୍ଶକୁ ପାଥେୟ କରି ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ କମିଟି ଗଠନ କରାଯାଇଛି । ଏହି ସାଧୁ ଉଦ୍ୟମ ଲାଗି ସମସ୍ତ ପ୍ରଗତିବାଦୀ ପରିବାରକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ଶ୍ରୀ ପଟ୍ଟନାୟକ କହିଥିଲେ ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ କ୍ରୀଷ୍ଣାରାଣୀ ବୋଷ ପ୍ରଦ୍ୟୁମ୍ନ ବଳ ସମ୍ମାନ ପାଉଛନ୍ତି । ସେଥିଲାଗି ତାଙ୍କୁ ଅଭିନନ୍ଦନ । କୋଭିଡ ସମୟରେ ଜୀବନକୁ ବାଜି ଲଗାଇ କାମ କରିଥିବା ଯୋଦ୍ଧାମାନଙ୍କୁ ସମ୍ମାନିତ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

ସେହିପରି ବିଶେଷ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲରେ ଯୋଗଦେଇ ସ୍ବର୍ଗତ ବଳଙ୍କୁ ଯୁବକର ସ୍ବାଭିମାନ, ଗରିବ, ଅସହାୟ ଓ ନିଷ୍ପେସିତ ଲୋକଙ୍କ ସ୍ବର ବୋଲି ଅଭିହିତ କରିଥିଲେ । କିଟ୍ ଓ କିସ୍ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ ତାଙ୍କର ବୃହତ୍ତ ପରିକଳ୍ପନା । ସ୍ବାଧୀନତାର ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଦିଗଦର୍ଶନ ଦେବାରେ ଯେଉଁ ମହାପୁରୁଷମାନେ ଆଗଧାଡିରେ ସେମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ବଳ ଅନ୍ୟତମ । ତେଣୁ ତାଙ୍କର ଆଦର୍ଶ ଓ ସଂସ୍କାରକୁ ନେଇ ଆମେ ଆଗକୁ ବଢ଼ିବା ପାଇଁ ପ୍ରତିବଦ୍ଧ ହେବା ଦରକାର ବୋଲି ସେ କହିଥିଲେ ।

କରୋନା ମହାମାରୀ ମଧ୍ୟରେ ଏବେ ଶୀତ ଆସିଛି । ଏଥିସହିତ ଆଗକୁ ଦୀପାବଳି । ଦୀପାବଳି ସମୟରେ ରାଜ୍ୟ ସରକାର ରାଜ୍ୟରେ ବାଣ ନ ଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମାକୁ ଆମେ ସମସ୍ତେ ପାଳନ କରିବା ସହ ଏଥିପାଇଁ ଜନ ସଚେତନତା ତିଆରି କରିବାର ଆବଶ୍ୟକତା ରହିଛି । ଏହା ସ୍ବର୍ଗତ ବଳଙ୍କୁ ତାଙ୍କ ଜନ୍ମଦିନରେ ସଠିକ୍ ଉପହାର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।

ପ୍ରଗତିବାଦୀ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ପ୍ରଗତିବାଦୀ ଓ ପ୍ରଦ୍ୟୁମ୍ନ ବଳଙ୍କ ନିରପେକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ । ୫୦ବର୍ଷ ତଳେ ଦୁଇଟି ବିଚାରଧାରା ଯଥା ପ୍ରତିକ୍ରିୟାଶୀଳ ଶକ୍ତି ଓ ପ୍ରଗତିବାଦୀ ଶକ୍ତିକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା । ସେତେବେଳେ ଶ୍ରୀ ବଳ ପ୍ରଗତିବାଦୀ ଶକ୍ତି ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ନୂଆ ସମାଜର ପରିକଳ୍ପନା କରିଥିଲେ । ତାଙ୍କର ବିଚାରଧାରା ଆଜିବି ପ୍ରଗତିବାଦୀରେ ପ୍ରତିଫଳିତ ହେଉଛି ।

କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥ୍ଖ ଭାବେ ଯୋଗଦେଇ କହିଥିଲେ ଯେ ଛାତ୍ର ଓ ଯୁବ ରାଜନୀତି ପ୍ରଦ୍ୟୁମ୍ନ ବଳଙ୍କ ବିନା ଚିନ୍ତା କରାଯାଇପାରେନା । ସେ ହେଉଛନ୍ତି ସାଲିସବିହୀନ ନିଚ୍ଛକ ସମାଜ ସଂସ୍କାରକ । ନିଷ୍ପେସିତଙ୍କ ସ୍ବରକୁ ଖବରକାଗଜ ଜରିଆରେ ସରକାରଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା । ରାଜନୀତି ପରେ ସାମ୍ବାଦିକ ହୋଇ ସେ ଏହି ସ୍ବରକୁ ଦୃଢ଼ୀଭୂତ କରିଥିଲେ । ବ୍ୟବସ୍ଥାର ଉନ୍ନତି ଓ ପରିବର୍ତ୍ତନଶୀଳ ସମାଜ ଲାଗି ଗଠନ ହୋଇଥିବା ପ୍ରଗତିବାଦୀ ଖବରକାଗଜ ତାର ପ୍ରତିଫଳନ । ଯୁବକ ଯୁବତୀଙ୍କୁ ସ୍ବୟଂ ସମ୍ପୂର୍ଣ୍ଣ କରିବା ଲାଗି କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସେ ଗଢ଼ିଥିଲେ, ଯାହା ଆଜି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବୋଲି ସେ ମତ ଦେଇଥିଲେ ।

ସଭାପତିତ୍ବ ଅଭିଭାଷଣ ଦେଇ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରଦ୍ୟୁମ୍ନ ବଳଙ୍କ ସହିତ ଜୀବନର ଅନେକ ଅନୁଭୂତି ବାଣ୍ଟିଥିଲେ । ସମାଜରେ ଥିବା ଗରିବଙ୍କୁ ଉପରକୁ ଉଠାଇବା ତାଙ୍କର ଚିନ୍ତାଧାରା ଥିଲା, ଯାହାକୁ କିଟ୍ ଓ କିସ୍ ସମଗ୍ର ପୃଥିବୀରେ ପହଞ୍ଚାଇଛି । ସାଲିସ ବିହୀନ ରାଜନୀତି କରିବା ବେଳେ ସେ ପର ଓ ନିଜ ଭିତରେ ଫରକ ଦେଖୁନଥିଲେ, ଯାହା ନ୍ୟାୟ ସଙ୍ଗତ ତାହା ଥିଲା ପ୍ରଦ୍ୟୁମ୍ନ ବଳଙ୍କ ଚିନ୍ତାଧାରା । ଆଜୀବନ ସେହି କଠୋରତାକୁ ପାଳନ କରି କେବେ ବି ସ୍ବାର୍ଥ ହାସଲ ଲାଗି ସେ ମୁଣ୍ଡ ନୁଆଁଇ ନଥିଲେ ବୋଲି ଡ. ସାମନ୍ତ କହିଥିଲେ ।

ପ୍ରଗତିବାଦୀର ନିଦ୍ଦେଶିକା ଡ଼. ମୋନାଲିସା ବଳ ସ୍ବାଗତ ଅଭିଭାଷଣ ଅବସରରେ ସ୍ବର୍ଗତ ବଳଙ୍କ ନିର୍ଭୀକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଗତିବାଦୀର ଅଧ୍ୟକ୍ଷ ଶାଶ୍ବତୀ ବଳ ଉପସ୍ଥିତ ଥିବାବେଳେ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସମାଜସେବୀ କ୍ରିଷ୍ଣାରାଣୀ ବୋଷଙ୍କୁ ପ୍ରଦ୍ୟୁମ୍ନ୍ ବଳ ସମ୍ମାନ ପ୍ରଦାନ କରାଯିବା ସହ ଜୟନ୍ତୀ କମିଟି ପକ୍ଷରୁ ୧୦ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ସାମ୍ବାଦିକ ସ୍ବର୍ଗୀୟ ତାରିଣୀ ପ୍ରସାଦ ପାଢୀ, ଖବରକାଗଜ ବିତରକ ଅଞ୍ଜନ କୁମାର ସାହୁ, ଯୁବ ସମାଜସେବୀ ପ୍ରତାପ କୁମାର ସାହୁ, ଅଙ୍ଗନବାଡ଼ି କର୍ମୀ ସ୍ବୟଂପ୍ରଭା ଜେନା, ସ୍ବାସ୍ଥ୍ୟସେବିକା କାଞ୍ଚନବାଳା ଜେନା, ସଫେଇ କର୍ମୀ ରାହସ ନାୟକ, ଡ଼ାକବାହକ ମୋହନ ହେମ୍ବ୍ରମ, ଆମ୍ବୁଲାନ୍ସ ଡ୍ରାଇଭର ପ୍ରଦୀପ କୁମାର ପୃଷ୍ଟି, ପୋଲିସ ଏଏସଆଇ ସ୍ବର୍ଗୀୟ ଶିଶିର କୁମାର ସେଠୀ, ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପ୍ରବନ୍ଧ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

ପ୍ରଥମେ ୱେବିନାରରେ ବେସାଲିସ ରାଜନେତା ପ୍ରଦ୍ୟୁମ୍ନ ବଳ ଆଲୋଚନାଚକ୍ର କରାଯାଇଥିଲା । ଏଥିରେ ଡ଼. ଓଁକାର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥ୍ଖ ଭାବେ ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ର ଯୋଗ ଦେଇଥିବାବେଳେ, କ୍ରୀଷ୍ଣା ମହାନ୍ତି ସମ୍ମାନିତ ଅତିଥି, ଜଗଦାନନ୍ଦ ମୁଖ୍ୟବକ୍ତା, ବରେଣ୍ୟ ଅତିଥି ଶାଶ୍ବତୀ ବଳ ଓ ସଂଯୋଜକ ସନ୍ଦିପ ମିଶ୍ର ରହିଥିଲେ । ପରେ ଜୟନ୍ତୀ ଉତ୍ସବ ଉଦଘାଟନ୍ କରାଯାଇଥିଲା । ପ୍ରଗତିବାଦୀ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥ୍ଖ ଭାବେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ମୁଖ୍ୟବକ୍ତା ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ, ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ।

ପରବର୍ତ୍ତୀ ଅଧିବେଶନରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ଅପରାହ୍ନରେ ରାଜନୀତି ଓ ସାମ୍ବାଦିକତାରେ ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିବଦ୍ଧତା ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥ୍ଖ ଭାବେ କୃଷିମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ବରେଣ୍ୟ ଅତିଥି ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଗତିବାଦୀର ପ୍ରକାଶକ ଶିବ ପ୍ରସାଦ ବିଶ୍ବାଳ ଅଧ୍ୟକ୍ଷତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *