ସୋୟେବଙ୍କ ସହ କଥା ହେଲେ, ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ନିଟ୍ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଜାତୀୟ ସ୍ତରରେ ରେକର୍ଡ କରିଥିବା ରାଉଲକେଲାର ଛାତ୍ର ସୋୟେବ ଅଫତାବ୍‌ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସୋୟେବଙ୍କ ସହ ଫୋନରେ କଥା ହୋଇଛନ୍ତି । ସୋୟେବଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଜୀବନରେ ମଧ୍ୟ ଏଭଳି ସଫଳ ହୁଅ ବୋଲି କହିଛନ୍ତି । ତେବେ ଏହା ପର୍ବରୁ ଶନିବାର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୋୟେବଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟପଟେ ସୋୟେବ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କୋଭିଡ୍ କଟକଣା ମଧ୍ୟରେ ଏବର୍ଷର ନିଟ୍ ପରୀକ୍ଷା ହୋଇଥିଲା । ତେବେ ଏଥର ପରୀକ୍ଷାରେ ଜଣେ ଓଡ଼ିଆ ପୁଅ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ପ୍ରଥମ । ୭୨୦ ରୁ ୭୨୦ ମାର୍କ ରଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସୋୟେବ୍ । ଏହା ପୂର୍ବରୁ ଓଡ଼ିଶା ପକ୍ଷରୁ କେହି ନିଟ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ନଥିଲେ ।

ରାଉରକେଲା ଆଜାଦ୍ ମୋହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ ସୋଏବ୍ ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢୁଥିଲେ । ସୋୟେବଙ୍କ ବାପା ଓଡ଼ିଶାରେ ର୍ନିମାଣ ବ୍ୟବସାୟରେ ଅଛନ୍ତି । ତେବେ ତାଙ୍କର ପାଠପଢ଼ା ପାଇଁ ତାଙ୍କ ମାଆ ତାଙ୍କୁ ନେଇ ରାଜସ୍ଥାନର କୋଟାରେ ରହୁଛନ୍ତି । ଡିସୁଜାରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ରାଜସ୍ଥାନର କୋଟାରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିଲେ । କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ଆଉ ତାଙ୍କ ପରିଶ୍ରମର ଫଳ ଆଜି ତାଙ୍କୁ ମିଳିଛି । ସୋଏବଙ୍କ ସଫଳତାରେ ରାଉରକେଲା ସମେତ ଓଡ଼ିଶାରେ ଖୁସିର ମାହୋଲ୍ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *