ଦଶହରାରେ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ଏହାସହ କରୋନାକୁ ନେଇ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ଦୁର୍ଗାପୂଜା ଓ ଦଶହରାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏଥିପାଇଁ ରାଜ୍ୟବାସୀ ଅନେକ କଷ୍ଟ ସହିଛନ୍ତି । ପିଲା ଓ ବୟସ୍କମାନଙ୍କୁ ଘରେ ରହିବାକୁ ପଡୁଛି । ପିଲା ଓ ବୟସ୍କମାନେ ଘରେ ରହିବା ଦ୍ୱାରା କରୋନାର ମୁକାବିଲା ଆମେ ଠିକ୍ ଭାବେ ଲଢିପାରିବା । ତେବେ ଏହି ତ୍ୟାଗ ବୃଥା ଯାଇ ନାହିଁ । ଏଥିରେ ରାଜ୍ୟର ସମସ୍ତଙ୍କ ସହଯୋଗ ରହିଛି । ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ, ମାସ୍କ ପିନ୍ଧିବା ସହ ହାତ ମଧ୍ୟ ଧୋଉଛନ୍ତି । କିନ୍ତୁ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି । ସେମାନେ ପରିସ୍ଥିତିକୁ ବୁଝିବା ଦରକାର । ଗତ ୧୫ ଦିନ ହେଲା ରାଜ୍ୟରେ କରୋନା କେସ୍ କମିଛି । ସେପ୍ଟେମ୍ବର ୨୬ରେ ରାଜ୍ୟରେ ପଜିଟିଭ୍ କେସ ୪ ହଜାରରୁ ଅଧିକ ଥିବା ବେଳେ ଏବେ ଏହା ୨ ହଜାର ତଳକୁ ଅସିଯାଇଛି । ପଜିଟିଭିଟି ରେଟ୍ ମଧ୍ୟ କମିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,ପୂର୍ବରୁ ଗଞ୍ଜାମ କରୋନାର ହଟସ୍ପଟ୍ ଥିଲା । ଏବେ ଗଞ୍ଜାମ ଓ ଗଜପତିରେ କରୋନା ମାମଲା କମିଛି । ଏହି ଦୁଇ ଜିଲ୍ଲା ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି । ଲୋକଙ୍କ ସହଯୋଗ ଓ କୋଭିଡ୍ ୟୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର ଆବଶ୍ୟକତା ନାହିଁ । ତେଣୁ ଆମକୁ ମେଡିସିନ୍ ଓ ଭାକସିନ୍ ଆସିବା ଯାଏଁ ସାବଧାନ ରହିବାକୁ ପଡିବ । ୟୁକେ, ଫ୍ରାନ୍ସ ଓ ସ୍ପେନ ଆଦି ଦେଶରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହାରିଥିଲେ । ପରେ କିଛି ସମୟ ପାଇଁ ସଂକ୍ରମଣ କମିଥିଲା । ଏବେ ସେଠାରେ ସଂକ୍ରମଣ ବଢିଛି । ଯାହା ପୂର୍ବଠାରୁ ଅଧିକ ଭୟଙ୍କର । ସେମାନେ ପୁଣି ଲକଡାଉନ୍ ଓ ସଟଡାଉନକୁ ଫେରିଲେଣି । ଫ୍ରାନ୍ସରେ ଅଗଷ୍ଟ ୩୧ରେ ୩ ହଜାର ପଜିଟିଭ୍ କେସ୍ ଥିବା ବେଳେ ଅକ୍ଟୋବର ୧୦ରେ ୨୬ ହଜାରରୁ ଅଧିକ ହୋଇଗଲା । ଭାରତ ଏବେ ଆମେରିକା ପରେ ସଂକ୍ରମଣରେ ଦୁଇ ନମ୍ବରରେ ପହଁଚିଛି ।

କେରଳରେ କରୋନା ନିୟନ୍ତ୍ରଣରେ ଥିବା ବେଳେ ଓନାମ ପର୍ବ ପରେ ପୁଣି ମାମଲା ୩ଗୁଣ ବଢିଛି । ଶୀତ ଋତୁରେ କରୋନା ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ପୂଜା ସମୟରେ ଘରେ ରହିବାକୁ, ଭିଡ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଘରେ ରହିବାକୁ କହିଛନ୍ତି । ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ନବୀନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *