ଜାତୀୟ ସମ୍ମିଳନୀରେ ଓଡିଶାର ସ୍ୱାସ୍ଥ୍ୟସେବା ଉଚ୍ଚ ପ୍ରଶଂସିତ

ଭୁବନେଶ୍ୱର, ୧୭/୧୧: ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଜାତୀୟ ସ୍ତରରେ ଭୁରି ଭୁରି ପ୍ରଶଂସା କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଓ ଅଭିନବ ପଦକ୍ଷେପ ସଂକ୍ରାନ୍ତରେ ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ଷଷ୍ଠ ଜାତୀୟ ସମ୍ମିଳନୀରେ ଏଭଳି ପ୍ରଶଂସା ମିଳିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) ରାଜ୍ୟର ସବୁଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବୋଲି ଦର୍ଶାଯାଇଛି । ଗତ କାଲିଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଏହି ଜାତୀୟ ଶିବିରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିନବ ପଦକ୍ଷେପ ଓ ତାହାର ସଫଳତା ଉପସ୍ଥାପନ କରିଛନ୍ତି । ବୈଠକରେ ଶ୍ରୀମତୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଏସ୍‍କେୱାଇର କାର୍ଯ୍ୟକାରିତା ଏବଂ ମୋ ସରକାର ମାଧ୍ୟମରେ ରୋଗୀ ସନ୍ତୁଷ୍ଟିକରଣ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ପଣ୍ଡିତ ଜାତୀୟ ସ୍ୱାସ୍ଥ୍ୟ ନୀତି – ୨୦୧୭ ଅନୁଯାୟୀ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ୍‍ (ଏସ୍‍ଡିଜି) ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସାର୍ବଜନନୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କଥା । ମାନବସମ୍ବଳ, ଭିତ୍ତିଭୂମି ଓ ରୋଗୀଙ୍କ ହାତରୁ ଅର୍ଥ ବ୍ୟୟ ଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଓଡିଶା ଏହି ସଫଳତା ପାଇପାରିଛି । ଏଥିପାଇଁ ଓଡିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁବିଧ ଅଭିନବ ପଦକ୍ଷେପ ଗ୍ରହଣ କରି ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିଛନ୍ତି । ଡାକ୍ତର ଅଭାବ ଜନିତ ସମସ୍ୟାର ମୁକାବିଲା ପାଇଁ ସରକାର ସେମାନଙ୍କ ପାଇଁ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ଆରମ୍ଭ କରି ଦୁର୍ଗମ ଅଞ୍ଚଳ ଚିହ୍ନଟ, ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି, ବାଇକ ଓ ବୋଟ୍‍ ଆମ୍ବୁଲାନ୍ସ, ଭ୍ରାମ୍ୟମାଣ ପ୍ରସୂତୀ ଯାନ ଠାରୁ ଆରମ୍ଭ କରି ପ୍ରସୂତୀ ଗୃହ, ଯାତାୟତ ଖର୍ଚ୍ଚ ଆଦି ବିଭିନ୍ନ ଅଭିନବ ଗ୍ରହଣ କରିଛନ୍ତି । ଲୋକଙ୍କୁ ଘରୋଇ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ୧୯୭ଟି ଘରୋଇ ହସ୍ପିଟାଲ ସହିତ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି । ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ମାଗଣାରେ ରୋଗ ନିରୂପଣ ଠାରୁ ଆରମ୍ଭକରି ଜଟିଳ ରୋଗର ଚିକିତ୍ସା ଓ ବିନାମୂଲ୍ୟରେ ଔଷଧ ଯୋଗାଣ, ଡାଏଲିସିସ୍‍, କେମୋଥେରାପି ଆଦି ବ୍ୟବସ୍ଥା କରାଯାଇଛି । ୭୦ଲକ୍ଷ ପରିବାରକୁ ବିଏସ୍‍କେୱାଇ ଯୋଜନାରେ ସାମିଲ କରାଯାଇଛି ।

ମୋ ସରକାର ଯୋଜନାରେ ରୋଗୀଙ୍କଠାରୁ ମତାମତ ଗ୍ରହଣ କରାଯାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥି ସହିତ ହାଉସ କିପିଙ୍ଗ୍‍, ସଫା ସୁତୁରା, ଲଣ୍ଡ୍ରି, ନିରାପତ୍ତା, ଲିଫ୍ଟ, ସହାୟକ, ସ୍ୱାସ୍ଥ୍ୟ ଅନୁଷ୍ଠାନର ସୌନ୍ଦର୍ଯ୍ୟକରଣ ଆଦି କ୍ଷେତ୍ରରେ ବହୁବିଧ ଉନ୍ନତି ଘଟିଛି । ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ କିଭଳି କାୟାକଳ୍ପ, ଲକ୍ଷ୍ୟ ଏବଂ ଏନ୍‍କ୍ୟୁଏସ୍‍ ଆଦି ଜାତୀୟ ସ୍ତରର ପୁରସ୍କାର ପାଇପାରିବେ ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ପ୍ରଶାସନକୁ ଅଧିକ ଚଳ ଚଞ୍ଚଳ ଓ ସୁଦୃଢ କରିବାପାଇଁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ୫-ଟି ଲାଗୁ ହୋଇଛି । ମୋ ସରକାର ଓ ୫-ଟିର ସଫଳ କାର୍ଯ୍ୟକାରୀ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଛି । ବର୍ଷକ ମଧ୍ୟରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଓପିଡି ଓ ଆଇପିଡିରେ ୩୩ ପ୍ରତିଶତ ରୋଗୀସଂଖ୍ୟା ବୃଦ୍ଧି ପାଇ ୬କୋଟି ୭୦ଲକ୍ଷକୁ ଟପିଯାଇଛି । ଏମାନଙ୍କୁ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ମାଗଣା ଚିକିତ୍ସାସେବା ଯୋଗାଇ ଦିଆଯାଇଛି । କେବିକେ ଏବଂ କେବିକେ ପ୍ଲସ ଜିଲ୍ଲା ଗୁଡିକରେ ଖାଲିଥିବା ଡାକ୍ତର ପଦବୀ ମଧ୍ୟରୁ ୪୪% ପୂରଣ ହୋଇପାରିଛି । ସରକାରଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ୯୨ ପ୍ରତିଶତରୁ ଅଧିକ ରୋଗୀ ସନ୍ତୋଷ ପ୍ରକାଶ କରିଛନ୍ତି । ରୋଗୀମାନଙ୍କର ନିଜସ୍ୱ ଚିକିତ୍ସା ଖର୍ଚ୍ଚ ଆଶାତୀତ ଭାବେ ହ୍ରାସପାଇଛି । ସ୍ୱାସ୍ଥ୍ୟ ମିଶନକୁ ବାଦ୍‍ ଦେଇ ରାଜ୍ୟ ସରକାର ନିଜସ୍ୱ ବଜେଟ୍‍ରୁ ୧୭୧୨ କୋଟିରୁ ଅଧିକ ଟଙ୍କା ରୋଗୀଙ୍କ ପାଇଁ ବ୍ୟୟ ହେଉଛି । ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ ରାଜ୍ୟ ସରକାରଙ୍କ ଉପରୋକ୍ତ ପଦକ୍ଷେପ ଗୁଡିକୁ ଜାତୀୟ ସମ୍ମିଳନୀରେ ଉପସ୍ଥାପିତ କରିଥିବାବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆବର୍ଷଣ ସହିତ ପ୍ରଶଂସିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *