ମୁଖ୍ୟମନ୍ତ୍ରୀଙ୍କ ଘୋଟାଲାକୁ ଏଥର ଓଡିଶା ଜବାବ ଦେବ: ଧର୍ମେନ୍ଦ୍ର

ଭୁବନେଶ୍ୱର,ଅପ୍ରେଲ ୨୬: ବିଜେଡିର ୧୯ ବର୍ଷର ସରକାରରେ ଯେତିକି କାମ ହୋଇନି, ବିଜେପି ସରକାରକୁ ଆସିଲେ ୫ ବର୍ଷରେ ତାର ୫ ଗୁଣା କାମ କରିବ । ଓଡିଶାକୁ ଲୁଟୁଥିବା ନକଲି ଓଡିଆ, ବିଶ୍ୱାସଘାତକଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଅଂଚଳର ଯୁବକଙ୍କ ପାଇଁ ଭଦ୍ରକରେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟେକ୍ସଟାଇଲ ପାର୍କ ନିର୍ମାଣ କରିବାର ଯୋଜନା କଲେ ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଖଣ୍ଡେ ଜାଗା ଦେଉନାହାନ୍ତି । ଟେକ୍ସଟାଇଲ ପାର୍କ ନିର୍ମାଣରେ ମୁଖ୍ୟମନ୍ତ୍ରୀ ବାଧକ ସାଜିଛନ୍ତି । ଓଡିଆ ଲୋକ ସୁରଟ ଓ ବିଭିନ୍ନ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପର ମାନବସମ୍ବଳ ମାତ୍ର ଓଡିଶାରେ ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ ସରକାର ବାଧକ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା, ଯାଜପୁରର ବରୀ ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର ଓ ଭଣ୍ଡାରିପୋଖରୀରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ସୁରକ୍ଷିତ ଭାବେ ରଖି ପାରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦିଲ୍ଲୀ ଶାସନର ଚାବିକାଠି ରଖିବେ ବୋଲି କହୁଛନ୍ତି । ସେଥିପାଇଁ ଦେଶରେ ଅସ୍ଥିର ସରକାର କରିବା କଥା ସେ ବାରମ୍ବାର କହୁଛନ୍ତି । ଦଳେ କଳାପାହାଡ ଓଡିଶାକୁ ଘେରିବା ପାଇଁ ଚାହୁଁଛନ୍ତି । ତାର ଜବାବ ସାଢେ ୪ କୋଟି ଓଡିଆ ଦେବେ ବୋଲି ସେ କହିଛନ୍ତି ।
ସେହିପରି ଓଡିଶାରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଗ ହୋଇଥିବା ବେଳେ ଦିଲ୍ଲୀରେ ଦୃଢ ସରକାର କରିବାକୁ ଅଟକାଇବା ପାଇଁ ନବୀନ ବାବୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଟାଲାକୁ ଏଥର ଓଡିଶା ଜବାବ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ବେପାର ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସର ତାମିଲ କାର୍ପଟଦାର ପ୍ରଭାକରନ ଓ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଖୋଲା ବୁଝାମଣା ଅଛି । ଏମାନେ ଉଭୟ ମିଶି କଂଗ୍ରେସ ଓ ବିଜେଡିର ଭିତିରିଆ ତାର ଯୋଡିଛନ୍ତି । ଭଣ୍ଡାରିପୋଖରୀରେ କଂଗ୍ରେସ ଓ ବିଜେଡିର ଅସାଧୁ ମେଂଟ ହୋଇଛି । ମ୍ୟାଚ ଫିକ୍ସିଂ ହୋଇଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ଓଡିଶା ଛାରଖାର ହୋଇଥିବା ବେଳେ ଓଡିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ । ସେ ସମୟରେ ଓଡିଶାକୁ ଇନ୍ଦିରା ଆବାସରେ ୭ ଲକ୍ଷ ଘର, ୧୨୦୦ କୋଟି ଟଙ୍କାର ଦାୟିତ୍ୱ ଓଡିଶା ପୁନରୁଦ୍ଧାର କରିବା ପାଇଁ ବାଜପେୟୀ ନେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ କାରଣରୁ ଏସବୁ ସେ ଭୁଲି ଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷର ଶାସନରେ ଏ ଅଂଚଳରେ ବିଶୁଦ୍ଧ ପିଇବା ପାଣି ନାହିଁ, ବିସ୍ତୀର୍ଣ୍ଣ ଓ ଚଷାଚାଷୀ ଅଂଚଳରେ ଜଳସେଚନ ନଥିବାରୁ ଜମି ପଡିଆ ଖାଲି ପଡିଛି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ୨୪ ଘଂଟା ବିଜୁଳି ନାହି, ରୋଜଗାରର ଉପଲବ୍ଧ ନାହିଁ । ୧୯ ବର୍ଷ ଶାସନରେ ମୌଳିକ ସୁବିଧା ନକରି ନବୀନ କେଉଁ କଥାରେ ଦମ୍ଭ ଦେଖାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡ. ଦାମୋଦର ରାଉତ କୃଷି ମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାରେ ତଦନ୍ତ ନିର୍ଦ୍ଦେଶ ଦେଇ ତୃତୀୟ ମହଲା ସଂରକ୍ଷକ ଦେଉଥିବା ଜିଲ୍ଲାର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ମାତ୍ର ଦାମ ବାବୁ ଏହି ପଦକ୍ଷେପ ନେବା ପରେ ପରେ ସେ ମନ୍ତ୍ରୀ ପଦରୁ ବହିଷ୍କାର ହେଲେ । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ଏପରି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଜେଲ୍ ପଠାଯିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଗୋପାଳପୁରରରୁ ଦୀଘା ପର‌୍ୟ୍ୟନ୍ତ ୧୦ ହଜାର କୋଟି ଟଙ୍କା ବ୍ୟୟରେ ୪୦୦ କିମିର କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି । ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ରାଜ୍ୟ ସରକାର ଏହି କାମରେ ଅସହଯୋଗ କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏଥର ନିର୍ବାଚନ ସାଂସଦ ଓ ବିଧାୟକ ପାଇଁ ନୁହେଁ ବରଂ ଏଥର ନିର୍ବାଚନ ସାଢେ ୪ କୋଟି ଓଡିଆଙ୍କ ହକ୍ ଲଢେଇ, ଓଡିଆ ସ୍ୱାଭିମାନର ଲଢେଇ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

୧୯ ବର୍ଷ ରାଜ୍ୟ ଶାସନରେ ବିକାଶରେ ପଛରେ ପଡିଥିବା ଓଡିଶାକୁ ଆଗକୁ ନେବା ପାଇଁ ଡବଲ ଇଂଜିନ୍ ସରକାର ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *