ନିଜ ସାମର୍ଥ୍ୟର ସଠିକ୍ ବିନିଯୋଗ ହିଁ ସଫଳତାର ଚାବିକାଠି

ଡି.ଏ.ଭି. କଳିଙ୍ଗ ନଗରଠାରେ ଓଜେଏସ୍ ପରୀକ୍ଷାରେ ଦ୍ୱିତୀୟସ୍ଥାନ ଅଧିକାର କରିଥିବା ପୁରାତନ ଛାତ୍ରୀ ସମ୍ବେଦନାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୧୪/୩: ନିଜର ଦୁର୍ବଳତାକୁ ପଛରେ ପକାଇ ନିଜର ଶକ୍ତି ଓ ସାମର୍ଥ୍ୟର ଉପଯୁକ୍ତ ବିନିଯୋଗ ହିଁ ସଫଳତାର ମୂଳମନ୍ତ୍ର ବୋଲି ସଦ୍ୟ ପ୍ରକାଶିତ ଓଜେଏସ୍ ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବା ଡି.ଏ.ଭି କଳିଙ୍ଗ ନଗରର ପୁରାତନ ଛାତ୍ରୀ ସମ୍ବେଦନା ସନ୍ଦୀପ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ, ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହି ସମ୍ବେଦନାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟକ୍ଷ ବିପିନ କୁମାର ସାହୁ ନିତ୍ୟନିୟମିତ ଅଧ୍ୟୟନ ଓ ଅଦମ୍ୟ ଜ୍ଞାନ ପିପାସା ଥିଲେ ଯେକୌଣସି କ୍ଷେତ୍ରରେ ସଫଳତା ଅର୍ଜନ କରାଯାଇପାରେ ବୋଲି ବକ୍ତବ୍ୟ ରଖିବା ସହ ସମ୍ବେଦନାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ତଥା ପର୍ଯ୍ୟବେକ୍ଷିକା ଦୀପାଞ୍ଜଳି ସାହୁ ସମ୍ବେଦନାଙ୍କ ବାଲ୍ୟକାଳର ସ୍ମୃତି ରୋମନ୍ଥନ କରିବା ସହ ବିଦ୍ୟାଳୟର ଗୌରବ ବଢ଼ାଇଥିବାରୁ ଆନନ୍ଦ ପ୍ରକାଶ କରିଥିôଲେ ।

ସମ୍ବର୍ଦ୍ଧନାର ଉତ୍ତରରେ ସମ୍ବେଦନା ତାଙ୍କର ଏହି ସଫଳତା ପାଇଁ ନିଜ ପିତା ମାତା ହିଁ ତାଙ୍କ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିବା ସହ ସଫଳତାର ଶ୍ରେୟ ଉଭୟ ପରିବାର ଓ ବିଦ୍ୟାଳୟକୁ ଦେଇଥିଲେ ଏବଂ ଆଜିକାଲି ସମସ୍ତେ ଇଂଜିନିୟରିଂ, ମେଡିକାଲ୍ ଓ ବିଜ୍ଞାନରେ କ୍ୟାରିଅର୍ ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ କଳା କ୍ଷେତ୍ରରେ ମୋର ଏହି ସଫଳତା ଆଗାମୀ ପିଢ଼ୀ ପାଇଁ ପ୍ରେରଣାଦାୟୀ ହେବ ବୋଲି ଆଶବ୍ୟକ୍ତ କରିଥିଲେ ।

ସମ୍ବେଦନାଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ, ସହ ଆଞ୍ଚଳିକ ନିର୍ଦ୍ଦେଶକ ମ୍ୟାଡାମ୍ ସୁଜାତା, ବିଦ୍ୟାଳୟର ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବି ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *