ଗୋଆ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଗୋଆ କରୋନା ମୁକ୍ତ ରାଜ୍ୟ ହୋଇଛି । କରୋନାକୁ ମୁକାବିଲା କରିବାରେ ଗୋଆ ସଫଳ ହୋଇଥିବା ବେଳେ ଏବେ ସମଗ୍ର ରାଷ୍ଟ୍ର ପାଇଁ ଦିଗ୍ ଦର୍ଶକ ସାଜିଛି । ଗୋଆରେ କୌଣସି କରୋନା ରୋଗୀ ନଥିବାରୁ ଏହାକୁ ଖୁବ ଶୀଘ୍ର ଗ୍ରୀନ ଜୋନ ଭାବେ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି ।
କିଛି ଦିନ ତଳେ ଗୋଆରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଥିଲା। ଏଥିରେ ୬ଜଣ ବିଦେଶୀ ରହିଥିଲେ। କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ଶେଷ ୭ ଜଣ ସୁସ୍ଥ ହୋଇଯାଇଛନ୍ତି। ଗୋଆ ଏବେ ସଂପୂର୍ଣ୍ଣ ରୂପେ କୋଭିଡ୍-୧୯ରୁ ମୁକ୍ତ। ଫଳରେ ରବିବାର ଗୋଆ ପ୍ରଶାସନ ଏ ସଂପର୍କରେ ସୂଚନା ପ୍ରଦାନ କରି ଗୋଆ କରୋନା ମୁକ୍ତ ହେବାରେ ଭାରତରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଟ୍ବିଟ୍ କରି କହିଛନ୍ତି ଯେ ଗୋଆ କରୋନା ମୁକ୍ତ ରାଜ୍ୟ ହେବା ଖୁସିର ବିଷୟ। ନିଜର କଠିନ ପରିଶ୍ରମ ଓ ସେବା ଦ୍ବାରା ରୋଗୀମାନଙ୍କୁ ସୁସ୍ଥ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଧନ୍ୟବାଦର ପାତ୍ର। ଏପ୍ରିଲ୍ ୩ ତାରିଖ ପରେ ଗୋଆରେ ଆଉ କେହି ସଂକ୍ରମିତ ହୋଇନାହାନ୍ତି ଏବଂ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଯଦିଓ ଗୋଆ କରୋନା ମୁକ୍ତ ରାଜ୍ୟ ହୋଇଛି, ତଥାପି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍ ଡାଉନ୍ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି ।
ଗୋଆର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍ ରାଣେ କହିଛନ୍ତି ଯେ କୋଭିଡ୍-୧୯ ଆକ୍ରାନ୍ତ ସଂଖ୍ୟା ‘ଶୂନ’ ହେବା ବାସ୍ତବରେ ଏକ ବଡ଼ ସଂଖ୍ୟା। ରାଜ୍ୟରେ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍-୧୯ ସଂକ୍ରମିତ ସୁସ୍ଥ ହୋଇ ପାରିଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନ । ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଥିବା ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିପାଇଁ ଧନ୍ୟବାଦ୍ ଜଣାଉଛି।

Spread the love

Leave a Reply

Your email address will not be published. Required fields are marked *