କମିବନି ତୈଳଦର, ଲାଗୁ ହୋଇପାରିବନି ଜିଏସଟି

କମିପାରିବନି ପେଟ୍ରୋଲ ଓ ଡିଜେଲ ଦର | କାରଣ ଏଗୁଡିକୁ ଜିଏସଟିରେ ସାମିଲ କରିବା ସମ୍ଭବପର ନୁହେଁ ବୋଲି ସିଧାସଳଖ କହିଛି ନୀତିଆୟୋଗ | ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଜିଏସ୍‌ଟିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ନିତି ଆୟୋଗ ପକ୍ଷରୁ ଆଜି ଭିନ୍ନ ମତ ଦିଆଯାଇଛି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ତୈଳ ଉପରେ ଜିଏସ୍‌ଟି ଲଗାଇବା ଏକ ପ୍ରକାର ଅସମ୍ଭବ। କାରଣ ତେଲରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ଆୟ କରୁଛନ୍ତି ବୋଲି ସେ କହିଛନ୍ତି।
ସେ କହିଲେ, ବର୍ତ୍ତମାନ ଜିଏସ୍‌ଟିର ସର୍ବୋଚ୍ଚ ହାର ହେଉଛି ୨୮%। ଏହି ହାରରେ ଯଦି ତେଲ ଉପରେ ଜିଏସ୍‌ଟି ଲାଗୁ କରାଯିବ ତେବେ ଉଭୟ କେନ୍ଦ୍ର ଓ ରାଜ୍ୟର ବିପୁଳ ରାଜସ୍ୱ ହାନି ହେବ। ଏଭଳି କ୍ଷତିକୁ କେହି ମୁଣ୍ଡାଇବାକୁ ଚାହିଁବେନି। ପେଟ୍ରୋଲ୍‌ ଓ ଡିଜେଲ୍‌ରୁ ଆଦାୟ ହେଉଥିବା ଟିକସ ପରିମାଣ ବଜାୟ ରଖିବାକୁ ହେଲେ ଏକ ନୂଆ ସ୍ଲାବ୍‌ ସୃଷ୍ଟି କରିବାକୁ ପଡ଼ିବ। ଏହା ଏକ ଜଟିଳ କାମ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ସହମତି ଦରକାର ପଡ଼ିବ। ଶ୍ରୀ କୁମାର କହିଛନ୍ତି ଯେ, ସରକାରଙ୍କୁ ପ୍ରଥମ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରୁ ଟିକସ ପରିମାଣ କମ୍‌ କରିବାକୁ ହେବ। ରାଜ୍ୟଗୁଡ଼ିକ ତେଲ ଉପରେ ଉଚ୍ଚ ହାରରେ ଭାଟ୍‌ ଲଗାଇଛନ୍ତି। ଯେତେବେଳେ ତେଲ ଦର ବଢ଼ୁଛି, ରାଜ୍ୟଗୁଡ଼ିକ ବିଶେଷ ଭାବେ ଲାଭବାନ ହେଉଛନ୍ତି। ରାଜ୍ୟଗୁଡ଼ିକ ଟିକସ ହାର କମ୍‌ କରିବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ମତରେ କେନ୍ଦ୍ର ସରକାର ତେଲରୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରୁଛନ୍ତି, ଯେଉଁଥିରୁ ୨ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯାଉଛି। ଉଚ୍ଚ ତେଲ ଦରକୁ ସେ ଅର୍ଥନୀତି ଉପରେ ବୋଝ ସହିତ ତୁଳନା କରିଛନ୍ତି। ତେଲ ଦର କମିଲେ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *