ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ, 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ, ମେ ୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ସଙ୍କଟ ଅପ୍ରତ୍ୟାଶିତ, କିନ୍ତୁ ଏହି ଯୁଦ୍ଧରେ ଆମେ ନିଜକୁ ସୁରକ୍ଷିତ ରଖି ଆଗକୁ ଆଗେଇଯିବା ଆବଶ୍ୟକ ।

କୋଭିଡ ପୂର୍ବ ଏବଂ ପରବର୍ତ୍ତୀ ବିଶ୍ଵ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଲକ୍ଷ୍ୟ ପୂରଣ କରିବାକୁ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ । ସଙ୍କଟକୁ ସୁଯୋଗରେ ପରିଣତ କରିବାର ସଂକ୍ରାନ୍ତରେ ଉଦାହରଣ ଦେଇ ସେ କହିଥିଲେ ଯେ ପୂର୍ବରୁ ଭାରତରେ ଏନ-95 ଓ ପିପିଇ କିଟ୍ ଉତ୍ପାଦନ ନଗଣ୍ୟ ଥିବା ବେଳେ ବର୍ତ୍ତମାନ ଦେଶରେ ଏ ଦୁଇଟି ସାମଗ୍ରୀ ଦୈନିକ ପାଖାପାଖି 2 ଲକ୍ଷ ଲେଖାଏଁ ଉତ୍ପାଦନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାଗତିକ ପରିଦୃଶ୍ୟରେ ଆତ୍ମନିର୍ଭରଶୀଳତାର ସଂଜ୍ଞା ବଦଳିଯାଇଛି। ବର୍ତ୍ତମାନ ଦେଶ ଯେତେବେଳେ ଆତ୍ମନିର୍ଭରଶୀଳତାର କଥା କହୁଛି ଏହାର ଅର୍ଥ ଆତ୍ମକୈନ୍ଦ୍ରିକ ହେବା ଆଦୌ ନୁହେଁ । ସେ କହିଥିଲେ ଯେ ଭାରତୀୟ ସଂସ୍କୃତିରେ ବିଶ୍ଵକୁ ଗୋଟିଏ ପରିବାର ଭାବେ ଦେଖିବା ଲାଗି ଉପଦେଶ ଦିଆଯାଇଛି । ଭାରତର ପ୍ରଗତି ସମଗ୍ର ବିଶ୍ଵର ପ୍ରଗତିରେ ଯୋଗଦାନ ଦେଇପାରିବ ଏବଂ ଏହାର ଅଂଶବିଶେଷ ହୋଇପାରିବ । ସମଗ୍ର ମାନବ ଜାତିର କଲ୍ୟାଣ ଦିଗରେ ଯୋଗଦାନ ଦେବା ଲାଗି ଭାରତ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ ।

କଚ୍ଛରେ ପ୍ରଳୟଙ୍କରୀ ଭୂମିକମ୍ପ ସମ୍ପର୍କରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୃଢ଼ସଂକଳ୍ପ ଏବଂ ପ୍ରତିବଦ୍ଧତା ଜରିଆରେ ଏହି କ୍ଷେତ୍ର ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହୋଇପାରିଥିଲା । ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ସମାନ ଧରଣର ସଂକଳ୍ପବଦ୍ଧତାର ଆବଶ୍ୟକତା ରହିଛି ।

ସେ କହିଥିଲେ ଯେ ଆତ୍ମନିର୍ଭରଶୀଳ ଭାରତ ପାଞ୍ଚଟି ସ୍ତମ୍ଭ ଉପରେ ନିର୍ଭରଶୀଳ ହେବା ଉଚିତ, ଯେମିତିକି ଅର୍ଥବ୍ୟବସ୍ଥା-ଯାହା ଅସ୍ଥିର ନୁହେଁ ବରଂ ସାମଗ୍ରୀକ ବିକାଶ ଆଣିବ; ଭିତ୍ତିଭୂମି- ଯାହା ଭାରତର ପରିଚୟ ହେବା ଉଚିତ; ବ୍ୟବସ୍ଥା- ଯାହା ଏକବିଂଶ ଶତାବ୍ଦୀର ପ୍ରଯୁକ୍ତି ପରିଚାଳିତ ବ୍ୟବସ୍ଥା ଉପରେ ଆଧାରିତ ହୋଇଥିବ; ଉତ୍ସାହୀ ଜନସଂଖ୍ୟା-ଯାହା ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମ ଶକ୍ତିର ଉତ୍ସ ଏବଂ; ଚାହିଦା- ଯାହା ଆମର ଚାହିଦା ଓ ଯୋଗାଣ ଶୃଙ୍ଖଳର ସାମର୍ଥ୍ୟକୁ ପୂର୍ଣ୍ଣ କ୍ଷମତା ସହିତ ଉପଯୋଗ କରୁଥିବ । ଚାହିଦା ପୂରଣ କରିବା ଏବଂ ବଢ଼ାଇବା ନିମନ୍ତେ ଯୋଗାଣ ଶୃଙ୍ଖଳର ସମସ୍ତ ଅଂଶୀଦାରମାନଙ୍କୁ ସୁଦୃଢ଼ କରିବା ଉପରେ ସେ ଜୋର ଦେଇଥିଲେ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ: ପ୍ରଧାନମନ୍ତ୍ରୀ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆହ୍ଵାନ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ କୋଭିଡ-19 ସଙ୍କଟର ମୁକାବିଲା ଲାଗି ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ ସହିତ ଏହି ପ୍ୟାକେଜକୁ କାର୍ଯ୍ୟକାରୀ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି, ଯାହାକି ଭାରତର ଜିଡିପିର ପାଖାପାଖି 10 ପ୍ରତିଶତ। ‘ଆତ୍ମନିର୍ଭରଶୀଳ ଭାରତ’ ଲକ୍ଷ୍ୟ ହାସଲ ଦିଗରେ ଏହି ପ୍ୟାକେଜ ଅତି ଜରୁରି ସହାୟତା ପ୍ରଦାନ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ୟାକେଜରେ ଜମି, ଶ୍ରମିକ, ନଗଦ ଓ ଆଇନ ଉପରେ ଗୁରୁତ୍ଵ ଦିଆଯାଇଛି । କପଡ଼ା ଉଦ୍ୟୋଗ, ଏମଏସଏମଇ, ଶ୍ରମିକ, ମଧ୍ୟମବର୍ଗ, ଉଦ୍ୟୋଗ ଜଗତ ସମେତ ଅନ୍ୟ ସମସ୍ତ କ୍ଷେତ୍ରର ଆବଶ୍ୟକତା ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି । ଆସନ୍ତାକାଲି ଏବଂ ଆଗାମୀ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ପ୍ୟାକେଜ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ।

ଜାମ ଟ୍ରିନିଟି ଏବଂ ଅନ୍ୟ ସଂସ୍କାରଗୁଡ଼ିକର ସକାରାତ୍ମକ ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 6 ବର୍ଷ ମଧ୍ୟରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ବିଭିନ୍ନ ସାହସିକ ତଥା ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାଫଳରେ ଆଗାମୀ ଭବିଷ୍ୟତରେ କୋଭିଡ ଭଳି ସଙ୍କଟର ପ୍ରଭାବକୁ ହ୍ରାସ କରାଯାଇପାରିବ । ଏସବୁ ସଂସ୍କାର ମଧ୍ୟରେ ରହିଛି କୃଷି କ୍ଷେତ୍ର ପାଇଁ ଯୋଗାଣ ଶୃଙ୍ଖଳ ସଂସ୍କାର, ଯୁକ୍ତିଯୁକ୍ତ ଟିକସ ବ୍ୟବସ୍ଥା, ସହଜ ଏବଂ ସ୍ପଷ୍ଟ ଆଇନ, ସମର୍ଥ ମାନବ ସମ୍ବଳ ଏବଂ ଏକ ଦୃଢ଼ ଆର୍ଥିକ ବ୍ୟବସ୍ଥା । ଏସବୁ ସଂସ୍କାର ବ୍ୟବସାୟକୁ ପ୍ରୋତ୍ସାହିତ କରିବ, ନିବେଶ ଆକୃଷ୍ଟ କରିବ ଏବଂ ମେକ ଇନ ଇଣ୍ଡିଆକୁ ଆହୁରି ସୁଦୃଢ଼ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭରଶୀଳତା ଭାରତକୁ ବିଶ୍ଵ ଯୋଗାଣ ଶୃଙ୍ଖଳର ପ୍ରତିଦ୍ଵନ୍ଦିତା ପାଇଁ ପ୍ରସ୍ତୁତ କରିବ ଏବଂ ଏଥିରେ ଦେଶ ବିଜୟୀ ହେବା ଗୁରୁତ୍ଵପୂର୍ଣ୍ଣ । ପ୍ୟାକେଜ ପ୍ରସ୍ତୁତ କରାଯିବା ସମୟରେ ଏହାକୁ ଧ୍ୟାନରେ ରଖାଯାଇଛି । ଏହା ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହିତ ଗୁଣବତ୍ତା ସୁନିଶ୍ଚିତ କରିବ ।

ଦେଶର ବିକାଶରେ ଗରିବ, ଶ୍ରମଜୀବୀ, ପ୍ରବାସୀମାନଙ୍କର ଯୋଗଦାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମାନଙ୍କର ସଶକ୍ତିକରଣ ପାଇଁ ଏହି ପ୍ୟାକେଜରେ ଗୁରୁତ୍ଵାରୋପ କରାଯାଇଛି ଏବଂ ଏଥିରେ ଉଭୟ ସଂଗଠିତ ତଥା ଅସଂଗଠିତ କ୍ଷେତ୍ର ପାଇଁ ବ୍ୟବସ୍ଥା କରାଯାଇଛି ।

ସ୍ଥାନୀୟ ଉତ୍ପାଦନ, ସ୍ଥାନୀୟ ବଜାର ଓ ସ୍ଥାନୀୟ ଯୋଗାଣ ଶୃଙ୍ଖଳର ଗୁରୁତ୍ଵ ବିଷୟରେ ଆମକୁ ଶିକ୍ଷା ଦେଇଛି ବୋଲି ସେ ଉଲ୍ଲେଖ କରିଥିଲେ । ସଙ୍କଟ ସମୟରେ ଆମର ଚାହିଦା ସ୍ଥାନୀୟ ସ୍ତରରେ ପୂରଣ ହୋଇଛି । ବର୍ତ୍ତମାନ ସ୍ଥାନୀୟ ଉତ୍ପାଦ ପ୍ରସଙ୍ଗ ଉଠାଇବା ଏବଂ ଏହି ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ଵସ୍ତରରେ ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କୋଭିଡ ସହିତ ଜୀବନ: ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ କହୁଛନ୍ତି ଯେ ଏହି ଭୂତାଣୁ ଦୀର୍ଘଦିନ ଧରି ଆମ ଜୀବନର ଅଂଶବିଶେଷ ହୋଇ ରହିବ । କିନ୍ତୁ, ଏହାର ଚାରିପାଖରେ ଆମର ଜୀବନ ଘୁରି ବୁଲିବା ଅନୁଚିତ । ମାସ୍କ ପିନ୍ଧିବା ଓ ଦୁଇ ଗଜ ଦୂରତା ଅବଲମ୍ବନ କରି ଲୋକମାନେ ସେମାନଙ୍କ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ ଦେଶବାସୀଙ୍କୁ ଆହ୍ଵାନ କରିଥିଲେ ।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାର ରୂପରେଖ ପୂର୍ବାପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହେବ । ରାଜ୍ୟଗୁଡ଼ିକଠାରୁ ମିଳୁଥିବା ସୁପାରିସ ଆଧାରରେ ନୂଆ ନିୟମ ପ୍ରଣୟନ କରାଯିବ ଏବଂ 18 ମେ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *